ବୃଦ୍ଧିହେଲା ସମୀର ମହାନ୍ତିଙ୍କ କାର୍ଯ୍ୟକାଳ

ବଢ଼ିଲା ବିଜେପିର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ କାର୍ଯ୍ୟକାଳ। ଆସନ୍ତା ୨୦୨୪ରେ ହେବାକୁ ଥିବା ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ବିଜେପି ପକ୍ଷରୁ ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଏହିଭଳି ନିଷ୍ପତ୍ତି ନିଆଯାଇଥିବା ଦଳୀୟ ସୂତ୍ରରୁ ଜଣାଯାଇଛି। ସୂଚନା ଅନୁଯାୟୀ ରାଜ୍ୟ ସଭାପତି ଶ୍ରୀ ମହାନ୍ତିଙ୍କ କାର୍ଯ୍ୟକାଳ ୨୦୨୨ ନଭେମ୍ବରରେ ପୂରଣ ହେଉଥିଲା।

ମାତ୍ର ରାଜ୍ୟରେ ବିଜେପିର ଅଭିବୃଦ୍ଧି ହେଉଥିବାରୁ ତାଙ୍କର ଗୁରୁତ୍ବକୁ ନେଇ ଦଳ ପକ୍ଷରୁ କାର୍ଯ୍ୟକାଳ ୨୦୨୪ ଜୁନ୍ ପର୍ଯ୍ୟନ୍ତ ବୃଦ୍ଧି କରାଯିବାକୁ ନିଷ୍ପତ୍ତି ହୋଇଛି। ହେଲେ ଏନେଇ କୌଣସି ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇନାହିଁ। ଜାତୀୟ କାର୍ଯ୍ୟକାରିଣୀ ବୈଠକର ନିଷ୍ପତ୍ତିକ୍ରମେ ରାଷ୍ଟ୍ରୀୟ ସଭାପତି ଜଗତ ପ୍ରକାଶ ନଡ୍ଡାଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇବ। ଏହା ପରେ ଶ୍ରୀ ମହାନ୍ତିଙ୍କ କାର୍ଯ୍ୟକାଳ ବଢ଼ିବ।

ଚଳିତମାସ ଶେଷ ସପ୍ତାହରେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଏନେଇ ବିଧିବଦ୍ଧ ଘୋଷଣା ହେବ ବୋଲି ଦଳ ପକ୍ଷରୁ କୁହାଯାଇଛି।