ବିଗିଡି ଗଲା ଧର୍ମେନ୍ଦ୍ରଙ୍କ ଗଣିତ, ବିଜେଡିରେ ସାମିଲ ହେଲେ ସମ୍ବଲପୁର ସାଂସଦଙ୍କ ପତ୍ନୀ ଅରୁନ୍ଧତି ଦେବୀ

ଭୁବନେଶ୍ବର: ବର୍ତ୍ତମାନ ସମ୍ବଲପୁରରେ ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗଣିତ ବିଗିଡି ଗଲା। କାରଣ ହେଲା ଆଜି ନବୀନ ନିବାସରେ ସମ୍ବଲପୁର ସାଂସଦ ତଥା ଦେବଗଡ ରାଜା ନୀତେଶ ଗଙ୍ଗଦେବଙ୍କ ପତ୍ନୀ ଶ୍ରୀମତୀ ଅରୁନ୍ଧତୀ ଦେବୀ ବିଜେଡିରେ ସାମିଲ ହୋଇଛନ୍ତି। ତାଙ୍କ ସହ ତାଙ୍କ ପୁତ୍ର ନମନ ଗଙ୍ଗଦେବ ମଧ୍ୟ ବିଜେଡିରେ ଯୋଗ ଦେଇଛନ୍ତି। ଆଜି ସନ୍ଧ୍ୟାରେ ନବୀନ ନିବାସ ଠାରେ ସେମାନେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ଶ୍ରୀ ନବୀନ ପଟନାୟକଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି। ଏହି ସମୟରେ ସାଂସଦ ତଥା ସମ୍ବଲପୁର ପର୍ଯ୍ୟବେକ୍ଷକ ମାନସ ମଙ୍ଗରାଜ ମଧ୍ୟ ଉପସ୍ଥିତ ଥିଲେ। ତେବେ ସମ୍ବଲପୁରରୁ ଧର୍ମେନ୍ଦ୍ର ପ୍ରାର୍ଥୀ ହେବା ପରେ ସାଂସଦ ନୀତିଶ ଗଙ୍ଗଦେବ ସେହି ଅଞ୍ଚଳରେ ଆଉ ଦେଖିବାକୁ ମିଳୁ ନାହିଁ। ସେ ଏକ ପ୍ରକାରର ରାଜନୈତିକ ବନବାସ ଜୀବନ ବିତାଉଛନ୍ତି ବୋଲି ଶୁଣିବାକୁ ମିଳୁଛି। ହେଲେ ଏପଟେ ତାଙ୍କ ପତ୍ନୀ ଓ ପୁତ୍ର ବିଜେଡିରେ ସାମିଲ ହେବା ପରେ ଓଡିଶା ରାଜନୀତିରେ ଏକ ବଡ ସମୀକରଣ ହେବାକୁ ଯାଉଛି ବୋଲି ଅନୁମାନ କରାଯାଉଛି। ପୂର୍ବରୁ ଧର୍ମେନ୍ଦ୍ର ସମ୍ବଲପୁରରୁ ପ୍ରାର୍ଥୀ ହେବେ ବୋଲି ଜଣାପଡିବା ପରେ ସେ ସାଂସଦ ନୀତିଶ ଗଙ୍ଗଦେବଙ୍କୁ ଏକ ପ୍ରକାରର କଣଠୋସା କରିଦେଇଛନ୍ତି। ଯାହାକୁ ନେଇ ତାଙ୍କ ପତ୍ନୀ ଅରୁନ୍ଧତୀ ସିଧା ଧର୍ମେନ୍ଦ୍ରଙ୍କ ନାଁ ନେଇ ତୀବ୍ର ସମାଲୋଚନା କରିଛନ୍ତି। ନିଜର ସାମାଜିକ ଗଣମାଧ୍ୟମରେ ଅରୁନ୍ଧତି ଧର୍ମେନ୍ଦ୍ରଙ୍କୁ ଗାଳି ମଧ୍ୟ କରିବାକୁ ପଛାଇ ନାହାଁନ୍ତି। ବର୍ତ୍ତମାନ ଅରୁନ୍ଧତୀ ବିଜେଡିରେ ଯୋଗଦେବା ପରେ ସେ ଧର୍ମେନ୍ଦ୍ର ବିରୋଧରେ ପ୍ରଚାର କରିବେ। ଏହାଦ୍ବାରା ବିଜେଡିର ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ପଲା ନିଶ୍ଚିତ ଭାରି ହେବ ଏଥିରେ ସନ୍ଦେହ ନାହିଁ।

Sambalpur MP's wife Arundhati Devi got involved in Dharmendra's maths
Comments (0)
Add Comment