ଏଭଳି ଘଟଣା ଦେଖିବାକୁ ମିଳିଛି ଆଜି ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଅଂଚଳ ପଳସମା ଗାଁରେ।
ଆଜି ପଳସମା ଠାରେ ବିଜେଡିର କର୍ମୀ ସମିଳନୀରେ ବବି ଦାସଙ୍କ କାର୍ଯ୍ୟକ୍ରମ ରହିଥିଲା । କାର୍ଯ୍ୟକ୍ରମ ଶେଷରେ ମଞ୍ଚରୁ ଓହ୍ଲାଇ ଯାଉଥିବାବେଳେ ବବିଙ୍କୁ ଘେରିଗଲେ ମହିଳା । ଆମର ପାଣି ନାହିଁ, ଆମର ଘର ନାହିଁ କହି ବବିଙ୍କୁ ପ୍ରଶ୍ନ ପରେ ପ୍ରଶ୍ନ ପଚାରି ଚାଲିଲେ । କେବେ ମିଳିବ ଆମ ମୌଳିକ ଅଧିକାର, ଆମର ଅଧିକାର ନ ମିଳିଲେ ଭୋଟ ଦେବୁନି କହି ରୋକଠୋକ ଶୁଣାଇଦେଲେ । ମହିଳାଙ୍କର ପ୍ରଶ୍ନବାଣରେ ହଟହଟା ହୋଇ ତତକ୍ଷଣାତ କିଛି ନ ଶୁଣିବା ଭଳି ଏଡାଇ ଚାଲିଗଲେ ବବି ଦାସ ।
ବିକାଶର ଡିଣ୍ଡିମ ପିଟୁଥିବା ନବୀନ ସରକାରର ଆଗଧଡ଼ିର ନେତା, ଖୋଦ୍ ଶାସକ ଦଳର ସଙ୍ଗଠନ ମହାମନ୍ତ୍ରୀ ତଥା ଏହି ଅଞ୍ଚଳ ପାଇଁ ଲୋକସଭା ପ୍ରାର୍ଥୀ ହୋଇଥିବା ପ୍ରଣବ ବାବୁଙ୍କ ପାଖରେ ଜଣେ ସାଧାରଣ ଗରିବ ହିତାଧିକାରୀର ପ୍ରଶ୍ନର ଉତ୍ତର ନାହିଁ ।
ମହିଳାଙ୍କ ପ୍ରଶ୍ନର ଉତ୍ତର ଦେବା ତ ଦୂରର କଥା, ସେ ତାଙ୍କୁ ଆଡ଼ କରିଦେଇ ଚାଲିଗଲେ । ଏହା ହିଁ ବୋଧେ ବିଜୁ ଜନତା ଦଳର ମାଁ କୁ ସମ୍ମାନ । ଯେଉଁ ବ୍ୟକ୍ତି ପୂର୍ବରୁ ସମ୍ବଲପୁର ଅଞ୍ଚଳ ପାଇଁ ପର୍ଯ୍ୟବେକ୍ଷକ ଥିଲେ ଓ ଜଣେ ଦକ୍ଷ ସଂଗଠକ ବୋଲି ଶାସକ ଦଳର ପ୍ରଚାର କରୁଛନ୍ତି, ତାଙ୍କଠାରୁ ଏ ଭଳି ଆଚରଣ ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି ।
ଦେବଗଡ଼ବାସୀ ଏହି ଘଟଣାରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି । ବବି ଦାସଙ୍କ ଭଳି ଗତ କାଲି ବିଜେଡ଼ି ବିଧାନସଭା ପ୍ରାର୍ଥୀ ତଥା ଦେବଗଡ଼ ରାଣୀ ଅରୁନ୍ଧତୀ ଦେବୀ ମଧ୍ୟ ସାଧାରଣ ଲୋକଙ୍କ ପ୍ରଶ୍ନରେ ଖୁବ୍ ବିରକ୍ତି ପ୍ରକାଶ କରିଥିଲେ, ଯାହାକୁ ନେଇ ଦେବଗଡ଼ ସହରରେ ଗଳି କନ୍ଦିରେ ଚର୍ଚ୍ଚା ଜୋର ଧରିଛି ।
ଯାହା ଜଣାପଡୁଛି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତି ସମ୍ବଲପୁର ଲୋକସଭା କ୍ଷେତ୍ରରେ ବଢ଼ିଚାଲିଥିବା ଅଯାଚିତ ଜନ ସମର୍ଥନରେ ଶାସକ ବିଜେଡ଼ି ଦଳର ନେତାଏ ଭୟଭୀତ ହୋଇପଡ଼ିଲେଣି ଏବଂ ଦିନକୁ ଦିନ ସେମାନଙ୍କ ଅପରିପକ୍ୱ ଆଚରଣସବୁ ପଦାରେ ପଡ଼ିବାରେ ଲାଗିଛି ।