ଜେଏସଡବ୍ଲୁ ଏବଂ ଜେଏଫଇ ମଧ୍ୟରେ ଯୌଥ ଉଦ୍ୟମର ଶୁଭାରମ୍ଭ

ସମ୍ବଲପୁର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଜିଲ୍ଲା ରେଙ୍ଗାଲୀଠାରେ ଇସ୍ପାତ ନିର୍ମାତା ଜେଏସଡବ୍ଲୁ ଏବଂ ଜାପାନର ପ୍ରସିଦ୍ଧ ଜେଏଫଇ ଷ୍ଟିଲ୍ କର୍ପୋରେସନ ମଧ୍ୟରେ ଯୌଥ ଉଦ୍ୟମ (Joint Venture) ସ୍ଥାପନର ଏକ ଭବ୍ୟ ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଉଦଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ ସାମ୍ବାଦିକମାନଙ୍କୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଏହି ଜେଏସଡବ୍ଲୁ ଏବଂ ଜାପାନର ପ୍ରସିଦ୍ଧ ଜେଏଫଇ ଷ୍ଟିଲ୍ କର୍ପୋରେସନ ଏକ ଇଲେକ୍ଟ୍ରିକାଲ୍ ଷ୍ଟିଲ୍ ତିଆରି କରିବେ । ଆଧୁନିକ ଶିଳ୍ପରେ ଏହା ଗୁରୁତ୍ୱପୂର୍ଣ୍ଣ କଞ୍ଚା ମାଲ୍ ହେବ । ଆଗାମୀ ଦିନରେ ୧୫ ମିଲିଅନ ଟନର ବୃହତ ଶିଳ୍ପ ପ୍ରତିଷ୍ଠା ହେବାକୁ ଯାଉଛି । ଏଥିରେ ୬୧ ହଜାର କୋଟି ଟଙ୍କାର ନିବେଶ ହେବ । ୧୬ ହଜାରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ‘ଜେଏସଡବ୍ଲୁ ଜେଏଫଇ ଷ୍ଟିଲ୍ ଲିମିଟେଡ’ର ଏହି ବିକାଶମୂଳକ ପ୍ରକଳ୍ପ ଦ୍ୱାରା ସମ୍ବଲପୁର ଓ ଝାରସୁଗୁଡ଼ା ସମେତ ଓଡ଼ିଶା ଦେଶର ଅଗ୍ରଣୀ ମ୍ୟାନୁଫ୍ୟାକଚରିଂ ଏବଂ ଲଜିଷ୍ଟିକ୍ ହବରେ ପରିଣତ ହେବ । ୧୯୫୨ ମସିହାରୁ ଭାରତ ଏବଂ ଜାପାନ ମଧ୍ୟରେ ରହିଥିବା ଦୃଢ଼ କୂଟନୈତିକ ସମ୍ପର୍କ ଆଗାମୀ ୨୦୨୭ ମସିହାରେ ୭୫ ବର୍ଷ ପୂରଣ କରିବାକୁ ଯାଉଥିବା ବେଳେ ଏହି ନିବେଶ ଉଭୟ ଦେଶର ସମ୍ପର୍କକୁ ଆହୁରି ମଜବୁତ କରିବ । ଏହା ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ହଜାର ହଜାର ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଏବଂ ଏହି ପ୍ରକଳ୍ପ ଓଡ଼ିଶାର ଅର୍ଥନୀତି ପାଇଁ ଏକ ‘ଗେମ୍ ଚେଞ୍ଜର’ ସାବ୍ୟସ୍ତ ହେବ । ଏହି କାର୍ଯ୍ୟକ୍ରମରେ ଭାରତରେ ଅବସ୍ଥାପିତ ଜାପାନର ରାଷ୍ଟ୍ରଦୂତ ଓନୋ କେଇଚି, ଓଡ଼ିଶା ସରକାରଙ୍କ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ପଞ୍ଚାୟତିରାଜ, ଗ୍ରାମୀଣ ବିକାଶ ଓ ପାନୀୟ ଜଳ ମନ୍ତ୍ରୀ ରବି ନାଏକ, ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ଝାରସୁଗୁ଼ଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ, ଭାରତରେ ଜେଏସଡବ୍ଲୁ ଗ୍ରୁପ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସଜ୍ଜନ ଜିନ୍ଦଲ, ଜେଏଫଇ ଷ୍ଟିଲ୍ କର୍ପୋରେସନର ସିଇଓ ୟୋଶିହିସା କିତାନୋ, ଜାପାନର ଶିଳ୍ପ ପ୍ରତିନିଧି ଏବଂ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ପ୍ରମୁଖ ଯୋଗଦେଇଥିଲେ ।