ଦୁର୍ନୀତି, ଅନିୟମିତତା ଓ ଅବମାନନା ଅଭିଯୋଗ :ସାକ୍ଷୀଗୋପାଳ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ନିଲମ୍ବିତ

ଭୁବନେଶ୍ୱର : ରାଜ୍ୟ ଦେବୋତ୍ତର ବିଭାଗ କାର୍ଯ୍ୟାଳୟ ତରଫରୁ ଆଦେଶ ସଂଖ୍ୟା ୫/୨୦୨୪ ୟୁ/ଏସ୍-୪୨(୮) ଅନୁଯାୟୀ ପୁରୀ ଜିଲ୍ଲା ଶ୍ରୀ ସାକ୍ଷୀଗୋପାଳ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ବବାସୀ ତ୍ରିପାଠୀ ଙ୍କୁ ରାଜ୍ୟ ଦେବୋତ୍ତର କମିଶନର ନିଲମ୍ବିତ କରିଛନ୍ତି। ତୁରନ୍ତ ସତ୍ୟବାଦୀ ତହସିଲଦାର ତଥା ମନ୍ଦିର ପରିଚାଳନା କମିଟି ସଭାପତିଙ୍କୁ ଦାୟିତ୍ଵ ହସ୍ତାନ୍ତର କରିବି କୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ କି, ଗତ ୨୦୨୨ ମସିହାରେ ଦେବୋତ୍ତର ବିଭାଗ ଶ୍ରୀ ତ୍ରିପାଠୀ ଙ୍କୁ ସାକ୍ଷୀଗୋପାଳ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ ଏକବର୍ଷ ପାଇଁ ନିଯୁକ୍ତି ଦେଇଥିଲେ। ବିନା ପାରିଶ୍ରମିକରେ ସେ ଏହି ଦାୟିତ୍ବରେ ଥିବା କୁହାଯାଉଛି। ଦେବୋତ୍ତର କମିଶନରଙ୍କ ଆଦେଶନାମା ରୁ ଏହା ସ୍ପଷ୍ଟ ହୋଇଛି ଯେ ଶ୍ରୀ ତ୍ରିପାଠୀଙ୍କ ବିରୁଦ୍ଧରେ ବ୍ୟାପକ ଦୁର୍ନୀତି, ଅନିୟମିତତା ଓ ଉପରିସ୍ଥ ଅଧିକାରୀଙ୍କ ଆଦେଶ ଅବମାନନା ପ୍ରଭୃତି ଅଭିଯୋଗ ହେବା ଫଳରେ ତାଙ୍କୁ ଏହି ସବୁ ଅଭିଯୋଗର ତଦନ୍ତ ଓ ତଦାନୁଯାୟୀ କାର୍ଯ୍ୟାନୁଷ୍ଠାନ ପର୍ଯ୍ୟନ୍ତ ନିଲମ୍ବନ କରାଯାଇଛି। ଏସମ୍ପର୍କରେ ସତ୍ୟବାଦୀ ତହସିଲଦାର ଙ୍କୁ ଲିଖିତ ସୂଚନା ମିଳିଛି ବୋଲି ତହସିଲଦାର ସନ୍ତୋଷ ପାଣିଗ୍ରାହୀ କହିଛନ୍ତି।ସତ୍ୟବାଦୀ ଶ୍ରୀରାମଚନ୍ଦ୍ରପୁର ଗ୍ରାମ ନିବାସୀ ଶ୍ରୀ ବିଶ୍ବବାସୀ ତ୍ରିପାଠୀ ଜଣେ ଭିନ୍ନକ୍ଷମ ହୋଇଥିବା ସତ୍ତ୍ଵେ ତାଙ୍କୁ ମନ୍ଦିର ପରିଚାଳନା ଭଳି ଏକ ସମ୍ବେଦନଶୀଳ ପଦବୀରେ କାହିଁକି ରଖାଯାଇଥିଲା ଏହା କିଛି ବୁଦ୍ଧିଜୀବି ପ୍ରଶ୍ନ ଉଠାଇଛନ୍ତି।