‘ସୁରକ୍ଷିତ ଓଡ଼ିଶା, ବିକଶିତ ଓଡ଼ିଶା’ ନାମରେ ମାସେ ବ୍ୟାପୀ ଅଗ୍ନି ସୁରକ୍ଷା ଅଭିଯାନ

ଭୁବନେଶ୍ୱର : ଓଡ଼ିଶାରେ ଆସନ୍ତା ସେପ୍ଟେମ୍ବର ୧୫ରୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ମାସେ ବ୍ୟାପୀ ଏକ ସ୍ୱତନ୍ତ୍ର ଅଗ୍ନି ସୁରକ୍ଷା ଯାଞ୍ଚ ଓ ସଚେତନତା ଅଭିଯାନ ଆରମ୍ଭ ହେବ । ଏନେଇ ସୂଚନା ଦେଇଛନ୍ତି ଚିଫ୍‌ ଫାୟାର ଅଫିସର ଦେବେନ୍ଦ୍ର ସ୍ଵାଇଁ। ଏହି ମାସିକିଆ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଓ ସଚେତନତା କାର୍ଯ୍ୟକ୍ରମର ନାମ ‘ସୁରକ୍ଷିତ ଓଡ଼ିଶା, ବିକଶିତ ଓଡ଼ିଶା’ ରଖାଯାଇଛି। ଚିଫ୍ ଫାୟାର ଅଫିସର ଦେବେନ୍ଦ୍ର ସ୍ୱାଇଁ କହିଛନ୍ତି ଯେ, ରାଜ୍ୟର ସମସ୍ତ ଶିଳ୍ପ ପ୍ରତିଷ୍ଠାନ, ବାଣିଜ୍ୟିକ ପ୍ରତିଷ୍ଠାନ, ବହୁତଳ ଆବାସିକ ବିଲ୍ଡିଂ, ଶିକ୍ଷାନୁଷ୍ଠାନ ଏବଂ ଚିକିତ୍ସାଳୟ (ହସ୍ପିଟାଲ) ଗୁଡ଼ିକରେ ବ୍ୟାପକ ଅଗ୍ନି ସୁରକ୍ଷା ଯାଞ୍ଚ (ଫାୟାର ଅଡିଟ୍) କରାଯିବ। ୮୦୦ରୁ ଅଧିକ ବିଲ୍ଡିଂକୁ ନୋଟିସ୍: ଚଳିତ ବର୍ଷ ବାଧ୍ୟତାମୂଳକ ଅଗ୍ନି ସୁରକ୍ଷା ପ୍ରମାଣପତ୍ର ନଥାଇ ଚାଲୁଥିବା ପ୍ରାୟ ୮୦୦ଟି ବିଲ୍ଡିଂକୁ ଚିହ୍ନଟ କରାଯାଇ ନୋଟିସ୍ ଜାରି କରାଯାଇଛି। ଏହା ମଧ୍ୟରେ ୨୫୮ଟି ଆବାସିକ କମ୍ପ୍ଲେକ୍ସ, ୧୭୨ଟି ହୋଟେଲ, ୧୦୦ଟି ଶିକ୍ଷାନୁଷ୍ଠାନ, ୮୬ଟି ବ୍ୟବସାୟିକ କୋଠା ଏବଂ ୧୪ଟି ସ୍ୱାସ୍ଥ୍ୟ କେନ୍ଦ୍ର ସାମିଲ ଅଛନ୍ତି। ସୁରକ୍ଷା ଯାଞ୍ଚର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରାଜ୍ୟରେ ଧନଜୀବନକୁ ସୁରକ୍ଷିତ ରଖିବା, ଅଗ୍ନି ନିରାପତ୍ତା ନିୟମର ଅନୁପାଳନ କରାଇବା ଏବଂ ସମସ୍ତ ବିଲ୍ଡିଂଗୁଡ଼ିକର ଏକ ସଠିକ ଡାଟାବେସ୍ ପ୍ରସ୍ତୁତ କରିବା ।