ରୁଷ-ୟୁକ୍ରେନ ଯୁଦ୍ଧ: ‘ୟୁକ୍ରେନ ସୀମାରେ କାର୍ଯ୍ୟ କରିବାର ଅଧିକାର ଅଛି, ନାଟୋ ଅସ୍ତ୍ରଶସ୍ତ୍ରକୁ ଟାର୍ଗେଟ କରିବ ରୁଷ I

ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଉପରେ ପୁଟିନ ପୁଣି ଥରେ ଚେତାବନୀ ଦେଇଛନ୍ତି। ରୁଷର ରାଷ୍ଟ୍ରପତି ପୁଟିନ କହିଛନ୍ତି ଯେ ସେ ୟୁକ୍ରେନ ସୀମାରେ କାର୍ଯ୍ୟ କରିବା ପାଇଁ ହକଦାର ଏବଂ ନାଟୋରୁ ୟୁକ୍ରେନକୁ ସହାୟତା ଭାବରେ ଦିଆ ଯାଇଥିବା ଅସ୍ତ୍ରଶସ୍ତ୍ରକୁ ମଧ୍ୟ ରୁଷ ଟାର୍ଗେଟ କରିବ।

ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ସହିତ ପରିଚିତ ଅଧିକାରୀଙ୍କ ଅନୁଯାୟୀ ୟୁରୋପୀୟ ୟୁନିଅନ ୟୁକ୍ରେନ ପାଇଁ ଏକ ସଲିଡାରିଟି ଟ୍ରଷ୍ଟ ପାଣ୍ଠି ପ୍ରସ୍ତୁତ କରୁଛି। ୟୁକ୍ରେନ ଅର୍ଥମନ୍ତ୍ରୀ ସେରହି ମାର୍ଚେଙ୍କୋଙ୍କ ଅନୁଯାୟୀ ଦେଶକୁ ମାସକୁ ପ୍ରାୟ ୫ ବିଲିୟନ ଡଲାରର ଆବଶ୍ୟକତା ରହିଛି। ଅନ୍ୟ ଜଣେ ଅଧିକାରୀଙ୍କ କହିବାନୁସାରେ, ୟୁରୋପୀୟ ପରିଷଦର ସଭାପତି ଚାର୍ଲସ ମିଚେଲ ୟୁଏଇର ଟ୍ରଷ୍ଟ ଫଣ୍ଡର ସଂକଳ୍ପ ବିଷୟରେ ୟୁକ୍ରେନ ରାଷ୍ଟ୍ରପତି ବ୍ଳାଦିମିର ଜେଲେନସ୍କିଙ୍କ ନିକଟରେ କାଇଭ ଗସ୍ତରେ ଆଲୋଚନା କରିଥିଲେ।

ଅନ୍ୟପକ୍ଷରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପୁଣି ଥରେ ଖୋଲାଖୋଲି ଭାବେ ୟୁକ୍ରେନ ସହିତ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି | ଜୋ ବାଇଡେନ ଗୁରୁବାର ଦିନ ୟୁକ୍ରେନକୁ ସାହାଯ୍ୟ କରିବା ପାଇଁ ୮୦୦ ମିଲିୟନ ଡଲାର (ପ୍ରାୟ 61 ବିଲିୟନ ଟଙ୍କା) ଅତିରିକ୍ତ ସାମରିକ ସହାୟତା ଘୋଷଣା କରିଛନ୍ତି। ନୂତନ ସାମରିକ ପ୍ୟାକେଜରେ ପୂର୍ବ ୟୁକ୍ରେନର ଡୋନ୍ବାସ୍ ଅଞ୍ଚଳରେ ଯୁଦ୍ଧ ବୃଦ୍ଧି ପାଇଁ ଭାରୀ ଆର୍ଟିଲିରି, ଗୁଳି ଏବଂ ଡ୍ରୋନ୍ ଅନ୍ତର୍ଭୁକ୍ତ | ବାଇଡେନଙ୍କ ଅନୁସାରେ ପୁଟିନ କହୁଛନ୍ତି ଯେ ପାଶ୍ଚାତ୍ୟ ଦେଶର ଏକତା ଭାଙ୍ଗିଯିବ ଏବଂ ମୁଁ କହୁଛି ଯେ ଆମେ ତାଙ୍କୁ ପୁଣି ଥରେ ଭୁଲ ପ୍ରମାଣ କରିବାକୁ ଯାଉଛୁ।