ସଫଳ ହେଲା ଋଷଭଙ୍କ ପ୍ଲାଷ୍ଟିକ ସର୍ଜରୀ

ନୂଆଦିଲ୍ଲୀ : ଟିମ୍‌‌ ଇଣ୍ଡିଆର ଖେଳାଳୀ ଋଷଭ ପନ୍ତଙ୍କର ଭୟଙ୍କର ସଡକ ଦୁର୍ଘଟଣା ପରେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତାଙ୍କ ମୁଣ୍ଡ ଓ ମେରୁଦଣ୍ଡର ହାଡରେ କୌଣସି ଆଘାତ ଆସିନଥିବା ରିପୋର୍ଟରୁ ଜଣାପଡିଛି। ଋଷଭ ମୁହଁର ପ୍ଲାଷ୍ଟିକ ସର୍ଜରୀ ସଫଳତାର ସହ ଶେଷ ହୋଇଛି। ଦୁର୍ଘଟଣାରେ ତାଙ୍କ ମୁହଁ ଓ ଶରୀରର ଅନେକ ସ୍ଥାନରେ ଗଭୀର କ୍ଷତ ହୋଇଥିଲା। ତେଣୁ କ୍ଷତ ସ୍ଥାନରେ ସର୍ଜରୀ କରାଯାଇଛି। ତାଙ୍କ ଆଣ୍ଠୁ ଓ ଗୋଡର ବାକି ଥିବା ପରୀକ୍ଷା କରାଯିବା ପରେ କି କି ଚିିକିତ୍ସା ଆବଶ୍ୟକ ତାହା ଜଣାପଡିବ। ସୂଚନା ଯୋଗ୍ୟ, ଶୁକ୍ରବାର ଭୋର ସମୟରେ ପନ୍ତ ତାଙ୍କ କାର ଯୋଗେ ଦିଲ୍ଲୀରୁ ଉତ୍ତରାଖଣ୍ଡ ଯାଉଥିଲେ। ରୁର୍କୀ ନିକଟରେ ପନ୍ତଙ୍କ ଆଖି ଲାଗି ଯିବାରୁ ତାଙ୍କ କାର ଡିଭାଇଡରରେ ପିଟି ହୋଇ ଜଳି ଯାଇଥିଲା। ବଡ ଧରଣର ଅଘଟଣ ପୂର୍ବରୁ ପନ୍ତ କାର କାଚ ଭାଙ୍ଗି ଏହା ଭିତରୁ ଡେଇଁ ପଡିଥିଲେ। ମାତ୍ର ଏହି ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇଥିଲେ। ସେହିପରି ବଲିଉଡ ଅଭିନେତା ଅନୁପମ ଖେର ଓ ଅନିଲ୍‌‌ କପୁର ଋଷଭଙ୍କ ସହ ସାକ୍ଷାତ କରିଛନ୍ତି। ଉଭୟ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଛନ୍ତି। ଏହାପୂର୍ବରୁ ବିସିସିଆଇ ସଚିବ ଜୟ ଶାହ ମଧ୍ୟ ପନ୍ତଙ୍କ ପରିବାର ସହ କଥାବାର୍ତ୍ତା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ତାଙ୍କ ପରିବାର ସହ କଥା ହୋଇ ସାରିଛନ୍ତି। ବର୍ତ୍ତମାନ ଋଷଭ ଚିକିତ୍ସା ଜାରି ରହିଛି।