ଋଷଭ ପନ୍ତଙ୍କ ହାଇଡ୍ରାମା : କଟିଲା ୧୦୦% ମ୍ୟାଚ୍‌ ଫି’, କୋଚ ପ୍ରବୀଣ ଆମ୍ରେ ବ୍ୟାନ୍‌

ଚଳିତ ଆଇପିଏଲ୍‌ ୨୦୨୨ ସିଜିନରେ ଗତକାଲି ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ରୋମାଞ୍ଚକର ମୁକାବିଲା ହେଇଥିବାର ଦେଖିବାକୁ ମିଳିଥିଲା I ଏହି ମ୍ୟାଚରେ ସଞ୍ଜୁ ସାମସନଙ୍କ ଟିମ୍‌ ରାଜସ୍ଥାନ ରୟାଲ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୫ ରନରେ ହରାଇଥିଲା। ଏହି ମ୍ୟାଚ୍‌ ସମୟରେ ଦିଲ୍ଲୀ ଟିମ୍‌ର ଅଧିନାୟକ ଋଷଭ ପନ୍ତଙ୍କ ରାଗ ମୁଣ୍ଡ ଉପରକୁ ଚଢିଯାଇଥିଲା।ମ୍ୟାଚ ସମୟରେ ନୋ ବଲ୍‌ ଅପିଲକୁ ନେଇ ମ୍ୟାଚ୍‌ ମଝିରେ ହଙ୍ଗାମା କରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଦଳର ଅଧିନାୟକ ଋଷଭ ପନ୍ତଙ୍କ ମ୍ୟାଚ୍‌ ଫି’ ୧୦୦% କାଟ କରାଯାଇଥିବା ବେଳେ ଆସିସଷ୍ଟାଣ୍ଟ କୋଚ୍‌ ପ୍ରବୀଣ ଆମ୍ରେଙ୍କୁ ଗୋଟିଏ ମ୍ୟାଚ୍‌ରୁ ବିଦା କରାଯାଇଛି। ଅର୍ଥାତ ତାଙ୍କ ଉପରେ ବ୍ୟାନ ଲାଗୁ କରାଯାଇଛି। ଉଭୟ ଆଇପିଏଲର ଆଚରଣ ବିଧି ଉଲ୍ଲଙ୍ଘନ କରିଛନ୍ତି। ତେଣୁ ସେମାନଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତେବେ ଶେଷ ଓଭରରେ ଅମ୍ପାୟାର ନୋ ବଲ୍ ନଦେବାରୁ ଏପରି ହୋଇଥିଲା ।

ସୂଚନାନୁସାରେ, ଶେଷ ଓଭରରେ ଦିଲ୍ଲୀକୁ ବିଜୟ ପାଇଁ ୩୬ ରନ୍ ଦରକାର ଥିଲା । କ୍ରିଜରେ ଥିବା ରୋବମେନ୍ ପାଓ୍ୱେଲ୍ ପ୍ରଥମ ୩ ବଲରେ ଲଗାତର ୩ ଛକା ଲଗାଇ ଦଳକୁ ଆଶା ଦେଇଥିଲେ । ତେବେ ତୃତୀୟ ବଲ ଫୁଲଟସ୍ ଥିଲା ଓ ଦିଲ୍ଲୀ ବ୍ୟାଟର ଏହା ନୋ ବଲ ବୋଲି ଦାବି କରିଥିଲେ । କିନ୍ତୁ ଅମ୍ପାୟାର ଏହାକୁ ନୋ ବଲ୍ ଦେଇନଥିଲେ ।

ରାଗିଗଲେ ପନ୍ତ

ଦିଲ୍ଲୀ କ୍ୟାପିଟାଲ୍ସର ଖେଳାଳି ବାରମ୍ବାର ଟିଭି ଅମ୍ପାୟାରଙ୍କୁ ନୋ ବଲ ପାଇଁ ଥାର୍ଡ ଅମ୍ପାୟାରଙ୍କୁ ଚେକ୍ କରିବା ପାଇଁ ଦାବି କରିଥିଲେ । କିନ୍ତୁ ନିୟମ ଅନୁସାରେ ଫିଲ୍ଡ ଅମ୍ପାୟାରଙ୍କ ନିଷ୍ପତି ବଦଳି ନଥାନ୍ତା । ଏହାପରେ ଅଧିନାୟକ ଋଷଭ ପନ୍ତ ଉଭୟ ବ୍ୟାଟରଙ୍କୁ ଚାଲି ଆସିବାକୁ କହିଥିଲେ । ସେନ ଓ୍ୱାଟସନ ପନ୍ତଙ୍କ ପାଖକୁ ଆସି ବୁଝାଇବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଏପରିକି ଜୋସ୍ ବଟଲର ମଧ୍ୟ ପନ୍ତଙ୍କୁ ବୁଝାଇଥିଲେ ।

କ୍ରିଜକୁ ଗଲେ ଦିଲ୍ଲୀ କୋଚ୍

ଏହାମଧ୍ୟରେ ଦିଲ୍ଲୀ କୋଚ୍ ପ୍ରବୀଣ ଆମରେ ପଡିଆରେ ପଶି ଅମ୍ପାୟାରଙ୍କ ସହ ଯୁକ୍ତି କରିଥିଲେ । ସେ ମାହୋଲକୁ ଆହୁରି ସଙ୍ଗୀନ କରିଥିଲେ । ସେ ନୋ ବଲ ନିଷ୍ପତ୍ତିକୁ ନେଇ ଯୁକ୍ତି କରିଥିଲେ । ଏହାପରେ ମଧ୍ୟ ଫିଲ୍ଡି ଅମ୍ପାୟାର ଥାର୍ଡ ଅମ୍ପାୟାରଙ୍କ ସହାୟତା ଲୋଡିନଥିଲେ । ଅମ୍ପାୟାର ତାଙ୍କୁ ଷ୍ଟାଡିୟମ ବାହାରକୁ ଯିବାକୁ କହିଥିଲେ । ସେ ଗଲା ପରେ ମ୍ୟାଚ୍ ପୁଣି ଆରମ୍ଭ ହୋଇଥିଲା ।