ଡିଗ୍ରୀ କଲେଜରେ ନିୟମ ହେବ କଡାକଡ଼ି: ଛାତ୍ରଛାତ୍ରୀଙ୍କ ପାଇଁ ୭ଘଣ୍ଟିଆ ନିୟମ ହେବ ଲାଗୁ

ଭୁବନେଶ୍ୱର: କୋଭିଡ ଲାଗି ରାଜ୍ୟରେ ୨ବର୍ଷ ଶ୍ରେଣୀ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହୋଇଥିବା ବେଳେ ଏବେ ଗୁଣାତ୍ମକ ଶିକ୍ଷାଦାନକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ତେବେ ଡିଗ୍ରୀ କଲେଜରେ ଏ କ୍ଷେତରେ ଅଧିକ କଟକଣା ଲାଗୁ କରାଯିବ ବୋଲି ଜଣାପଡ଼ିଛି । ତେବେ ଏଣିକି ଅଧ୍ୟାପକମାନଙ୍କ ପରି ଡିଗ୍ରୀ କଲେଜର ଛାତ୍ରଛାତ୍ରୀମାନେ ମଧ୍ୟ ସାରା ଦିନ କଲେଜରେ ରହିବେ । ସମ୍ପୃର୍ଣ୍ଣ କ୍ଲାସ ନସରିବା ପର୍ଯ୍ୟନ୍ତ ଛାତ୍ରଛାତ୍ରୀ କ୍ୟାମ୍ପସ ନଛାଡିବା ପାଇଁ ନିଷ୍ପତ୍ତି ହୋଇଛି । ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ହୋଇଥିବା ନିଷ୍ୱତ୍ତି ଅନୁଯାୟୀ ପୂର୍ବ ଭଳି ପିଲାମାନେ ମନଇଛାରେ ଅଧାରୁ କ୍ୟାମ୍ପସ ଛାଡି ଯାଇପାରିବେ ନାହିଁ । ପିଲାମାନେ କଲେଜ ଗଲା ପରେ ସେହି ଦିନର ରୁଟିନ୍ ଅନୁଯାୟୀ ସମସ୍ତ କ୍ଲାସ ସରିବା ପରେ ହିଁ କ୍ୟାମ୍ପସ ଛାଡି ପାରିବେ । ଯଦି କେହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଦର୍ଶାଇ କ୍ୟାମ୍ପସରୁ ବାହାରକୁ ବାହାରେ ତେବେ ପୂନ୍ନର୍ବାର ତାଙ୍କୁ କ୍ୟାମ୍ପସ ମଧ୍ୟକୁ ଯିବା ଲାଗି ଅନୁମତି ମିଳିବ ନାହିଁ । ଏହି ନିୟମ ପୂର୍ବରୁ ଅଧ୍ୟାପକମାନଙ୍କ ଲାଗି ଲାଗୁ କରାଯାଇଥିବା ବେଳେ ସମାନ ନୀୟମ ଏବେ ପିଲାଙ୍କ ଲାଗି ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି । ବିଶେଷକରି ଗୁଣାତ୍ମକ ଶିକ୍ଷା ଏବଂ ବିଭିନ୍ନ ବିଶୃଙ୍ଖଳାକୁ ଏଡାଇବା ଲାଗି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏପରି ଅଭିନବ ପ୍ରୟାସ ଆରମ୍ଭ ହେବାକୁ ଯାଉଛି । ପ୍ରକାଶଥାଉ କି, ରାଜ୍ୟରେ ଉଚ୍ଚଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ଲାଗି ଶିକ୍ଷାଦାନ ବ୍ୟବସ୍ଥାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । ଯେଉଁଥିପାଇଁ କି ସବୁ ସରକାରୀ ଏବଂ ଅନୁଦାନପ୍ରାପ୍ତ କଲେଜଗୁଡିକରେ ଅଧ୍ୟାପକଙ୍କ, ଅଧ୍ୟାପିକାଙ୍କ ଲାଗି କଲେଜରେ ୭ଘଣ୍ଟିଆ ନିୟମ ବାଧ୍ୟତାମୂଳକ କରାଯାଇଛି । ସେହି ନିୟମକୁ ଏବେ ଛାତ୍ରଛାତ୍ରୀଙ୍କ ଲାଗି ଲାଗୁ କରିବାକୁ ବିଭାଗ ପକ୍ଷରୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି । ଅନେକ ସମୟରେ କିଛି ଛାତ୍ରଛାତ୍ରୀମାନେ କଲେଜ ଯାଇଥିଲେ ହେଁ ପୁରାଦିନ କଲେଜରେ ରହିନଥାନ୍ତି କି ସବୁ କ୍ଲାସ ମଧ୍ୟ କରିନଥାନ୍ତି । କ୍ଲାସ ନକରି ବାହାରକୁ ଯାଉଥିବା ବେଳେ ଅନେକ ସମୟରେ ବିଭିନ୍ନ ବିଶୃଙ୍ଖଳା ମଧ୍ୟ ସୃଷ୍ଟି କରିଥାନ୍ତି । ଦୈନିକ ସବୁ କଲେଜରେ ଯେପରି ସମସ୍ତ ବିଷୟ ବଢ଼ାଯିବ ସେଥିଲାଗି ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଶ୍ରେଣୀରେ ସବୁ ଛାତ୍ରଛାତ୍ରୀ ଉପସ୍ଥିତ ଯେପରି ରହିବେ ସେଥିଲାଗି ଗୁରୁତ୍ୱ ଦିଆଯାଇଛି । ଅନେକ କଲେଜରେ ଅଧ୍ୟାପକ ଦିନ ତମାମ ରହୁଥିବା ବେଳେ ଶ୍ରେଣୀରେ କିନ୍ତୁ ପିଲାଙ୍କ ଦେଖା ନଥାଏ । କିଛି ଶ୍ରେଣୀରେ ହାତଗଣତି ୧୦/୧୨ଟି ପିଲା ଉପସ୍ଥିତ ଥିବା ବେଳେ ଅବଶିଷ୍ଟ ପିଲା ନଥାନ୍ତି । ଏହାବ୍ୟତୀତ କିଛି କ୍ଲାସକୁ ପିଲାମାନେ ନଯାଇ ଏଣେତେଣେ ବୁଲାବୁଲି କରିବା ପରେ ପରବର୍ତ୍ତୀ କ୍ଲାସକୁ ଯାଇଥାନ୍ତି । ତେଣୁ ଦୈନିକ ସବୁ କ୍ଲାସରେ ଯେମିତି ସବୁ ପିଲା ଉପସ୍ଥିତ ରହିବେ ସେଥିଲାଗି ଏହି ବ୍ୟବସ୍ଥା ଲାଗୁ କରାଯିବ । ଉଚ୍ଚଶିକ୍ଷା ବିଭାଗର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ରାଜ୍ୟରେ ୮୫୦ରୁ ଅଧିକ ଡିଗ୍ରୀ କଲେଜ ରହିଛି । ସ୍ନାତ୍ତୋକରେ କେବଳ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀ ପ୍ରାକ୍ଟିକାଲ ଏବଂ ଥିଓରୀ କ୍ଲାସ କରୁଥିବା ବେଳେ ଅନେକ କଲେଜରେ କଳା ଏବଂ ବାଣିଜ୍ୟ ପିଲାମାନେ ନିଜ ଇଛାରେ କ୍ଲାସ କରିଥାନ୍ତି । ଜିଲ୍ଲା ୱାରୀ କଲେଜଗୁଡିକର ଅନୁଧ୍ୟାନ ରିପୋର୍ଟ ଅନୁଯାୟୀ ବିଜ୍ଞାନ ବିଭାଗରେ ଛାତ୍ରଛାତ୍ରୀମାନଙ୍କର ପ୍ରାକ୍ଟିକାଲ କ୍ଲାସରେ ଶତପ୍ରତିଶତ ଉପସ୍ଥାନ ରହୁଥିବା ବେଳେ ଥିଓରୀ କ୍ଲାସରେ ପ୍ରାୟ ୮୫%ରୁ ୯୦% ମଧ୍ୟରେ ରହୁଛି । ମାତ୍ର କଳାରେ ଦୈନିକ ୪୦ପ୍ରତିଶତ ଛାତ୍ର ଅନୁପସ୍ଥିତ ରହୁଥିବା ବେଳେ ପ୍ରାୟ ୩୫ପ୍ରତିଶତ ଛାତ୍ରଛାତ୍ରୀ କଲେଜ ଆସି ସବୁ କ୍ଲାସ କରିନଥାନ୍ତି । ସେହିପରି ୧୯ରୁ ୨୨ପ୍ରତିଶତ ଛାତ୍ରଛାତ୍ରୀ ଗୋଟିଏ ୨ଟି କ୍ଲାସ କରି ଉଭାନ ହେବା ପରେ ପୁଣି ମନ ହେଲେ କ୍ଲାସକୁ ଫେରିଥାନ୍ତି । ଏପରି ବିଶୃଙ୍ଖଳା ଲାଗି ପରବର୍ତ୍ତୀ ସମୟରେ ପିଜି ଏବଂ ଗବେଷଣାରେ ପ୍ରଭାବ ପଡ଼ୁଛି । ଯେଉଁମାନଙ୍କ ଲାଗି ବିଭାଗ ପକ୍ଷରୁ କସରତ କରାଯାଉଛି ଯଦି ସେହି ଛାତ୍ରଛାତ୍ରୀ କ୍ଲାସ ପଢ଼ାକୁ ଗୁରୁତ୍ୱ ନଦିଅନ୍ତି ତେବେ ସବୁ ଯୋଜନା ଶତପ୍ରତିଶତ ସଫଳ ହେବା କଷ୍ଟକର । ପିଲାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଏବଂ ସ୍ନତ୍ତୋକସ୍ତରରେ ସୁଧାର ଆଣିବା ଲାଗି ଏପରି ବ୍ୟବସ୍ଥା ହୋଇଛି । ଏହି ବ୍ୟବସ୍ଥା ଆସନ୍ତା ଶିକ୍ଷାବର୍ଷରୁ ଲାଗୁ କରାଯିବ । ତେବେ ପୂର୍ବରୁ ଏହି ବ୍ୟବସ୍ଥା ଲାଗୁ କରିବାକୁ ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଥିଲେ ହେଁ କରୋନା ଲାଗି ଏହା ବିଳମ୍ବ ହୋଇଛି । ସେହିପରି କଲେଜ ଆସୁଥିବା ଛାତ୍ରଛାତ୍ରୀଙ୍କ ଲାଗି ମଧ୍ୟ ନିର୍ଦ୍ଦିଷ୍ଟ ନିୟମ ଲାଗୁ ହୋଇଛି । ଏଣିକି କଲେଜ ଆରମ୍ଭ ହେବା ପରେ କଲେଜର ମୁଖ୍ୟ ଫାଟକ ବନ୍ଦ ରହିବ । ମୁଖ୍ୟ ଫାଟକ ନିକଟରେ ସିସି କ୍ୟାମେରା ବ୍ୟବସ୍ଥା କରାଯିବ । ଯେଉଁ ଛାତ୍ରଛାତ୍ରୀମାନେ କଲେଜ ଆସିବା ପରେ ବାହାରକୁ ଯିବାକୁ ଚାହଁନ୍ତି ସେମାନେ ଅଧ୍ୟକ୍ଷକଙ୍କ ଅନୁମତି ନେବା ବାଧ୍ୟତାମୂଳକ ହୋଇଛି । କେଉଁ କାରଣରୁ କଲେଜ ଅଧାରୁ ଛାଡିବେ ତା’ର ଲିଖିତ କାରଣ ଦର୍ଶାଇବେ । ଏହାବ୍ୟତୀତ ଦୈନିକ ସବୁ ଷ୍ଟ୍ରମିର ଉପସ୍ଥାନ ରିପୋର୍ଟ ଯାଞ୍ଚ କରାଯିବ । ନିଜ ଇଛାରେ କ୍ଲାସ କରୁଥିବା ପିଲାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ନିୟମକୁ ଅବମାନନା କରୁଥିବା ତଥା ନିୟମିତ ଅଧାରୁ କ୍ୟାମ୍ପସ ବାହାରକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କୁ କଲେଜକୁ ଡକାଯାଇ ଅବଗତ କରାଯିବ । ଏପରିକି କଲେଜ ଆସି ନିଜ ଇଛାରେ କ୍ଲାସ କରୁଥିବା ପିଲାମାନେ ପରୀକ୍ଷା ପାଇଁ ଫର୍ମ ପୂରଣରୁ ମଧ୍ୟ ବଞ୍ଚିତ ରହିବେ । ସବୁ ଡିଗ୍ରୀ କଲେଜରେ ଏକ କମିଟି ଗଠନ କରାଯିବ । ସେହି କମିଟିର ଅଧ୍ୟକ୍ଷ ଭାବେ କଲେଜର ପ୍ରିନ୍ସିପାଲ ରହିବେ ।