ମୟୂରଭଞ୍ଜ : ଜନବସତିରେ ମହାବଳ ବାଘର ଉପଦ୍ରବ। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ସାଲେଇବେଡା ପଞ୍ଚାୟତର ଖପରଖାଇ ଗ୍ରାମରେ ବାଘ ପଶିଯିବାରୁ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଓ ତୀବ୍ର ଆତଙ୍କ ଖେଳିଯାଇଛି। ଗତ ତିନି ଦିନ ହେବ ଗାଁରେ ବାଘର ଭୟ ରହିଥିବା ବେଳେ, ଗତ ରାତିରେ ସିଧାସଳଖ ଜଣଙ୍କ ଘର ଭିତରେ ବାଘ ପଶିଯାଇଥିବା ଖବର ସାମ୍ନାକୁ ଆସିଛି। ସୂଚନାଯୋଗ୍ୟ ଯେ, ରାତିରେ ବାଘଟି ପ୍ରଥମେ ଗାଁର ଜଣେ ବ୍ୟକ୍ତିଙ୍କ ଘର ବାଡ଼ିରେ ବସିଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ। ଏହା ଦେଖି ଭୟଭୀତ ପରିବାର ଲୋକେ ତୁରନ୍ତ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଘରର ଲାଇଟ୍ ଲିଭାଇବା ପରେ ବାଘଟି ସେଠାରୁ ଚାଲିଯାଇଥିଲା। ମାତ୍ର ସେଠାରୁ ଯାଇ ବାଘଟି ଗାଁର ଅନ୍ୟ ଜଣଙ୍କ ଘର ଭିତରେ ପଶିଯାଇଥିଲା। ବର୍ତ୍ତମାନ ସୁଦ୍ଧା ବାଘଟି ଘର ଭିତରୁ ବାହାରି ନଥିବା ବେଳେ ବନ ବିଭାଗ ଟିମ୍ ସେଠାରେ ଉପସ୍ଥିତ ରହି ତାହାକୁ ନିରାପଦରେ ବାହାର କରିବା ପାଇଁ ଜୋରଦାର କସରତ ଜାରି ରଖିଛି।