ରାଉରକେଲା କୋଲକାତା ମଧ୍ୟରେ ଆଜିଠାରୁ ଆରମ୍ଭ ହେଲା ବିମାନ ଚଳାଚଳ

ଭୁବନେଶ୍ୱର : ରାଉରକେଲା–କୋଲକାତା ମଧ୍ୟରେ ଆଜିଠାରୁ ସିଧାସଳଖ ବିମାନ ଚଳାଚଳ ଆରମ୍ଭ ହୋଇଛି । ସପ୍ତାହର ମଙ୍ଗଳବାର, ଗୁରୁବାର ଏବଂ ଶନିବାର ଏହି ତିନିଦିନ ରାଉରକେଲା ଓ କୋଲକାତା ମଧ୍ୟରେ ଏ.ଟି.ଆର୍‍-୭୨ ବିମାନ ଚଳାଚଳ କରିବ । ବିମାନ ପୂର୍ବାହ୍ନ ୧୧ଟାରେ କୋଲକାତା ବିମାନ ବନ୍ଦରରୁ ବାହାରି ରାଉରକେଲାରେ ଦିନ ସାଢ଼େ ୧୨ଟାରେ ପହଞ୍ଚିବ ।

ସେହିପରି ଅପରାହ୍ନ ୩ଟା ୫୦ରେ ରାଉରକେଲାରୁ ବିମାନ ଉଡ଼ାଣ କରି କୋଲକାତାରେ ସନ୍ଧ୍ୟା ୫ଟା ୨୦ରେ ପହଞ୍ଚିବ । ସପ୍ତାହର ଅନ୍ୟ ଚାରି ଦିନ ସୋମବାର, ବୁଧବାର, ଶୁକ୍ରବାର ଓ ରବିବାର ରାଉରକେଲାରୁ କୋଲକାତାକୁ ଭୁବନେଶ୍ୱର ଦେଇ ବିମାନ ଉଡ଼ାଣ ହେବ ବୋଲି କୁହାଯାଇଛି ।

ଆଗାମୀ ନୂଆବର୍ଷରୁ ମାଲକାନଗିରିରେ ବିମାନ ଉଡ଼ାଣ କରିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଳକାନଗିରି ବିମାନ ବନ୍ଦରରୁ ଏହି ବିମାନ ଉଡ଼ାଣ ଉଦ୍‍ଘାଟନ କରିବେ । ମାଲକାରନଗିରି ଉପକଣ୍ଠରେ ଥିବା ବିମାନବନ୍ଦର ନିର୍ମାଣ କାର୍ଯ୍ୟ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବିମାନ ବନ୍ଦର ରନୱେ କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ହୋଇଥିବା ବେଳେ କେବଳ ରନୱେରେ ହ୍ୱାଇଟ୍ ମାର୍କିଂ ବା ଲାଇନିଂ ଓ ଜିପିଏସ୍ ପୋଜିସନିଂ କାମ ଜାରି ରହିଛି । ଏହା ବ୍ୟତୀତ ଟର୍ମିନାଲ ଠାରୁ ଆରମ୍ଭ କରି ଯାତ୍ରୀ ବିଶ୍ରାମଗାର ସହ ରନୱେ ଓ ଏୟାରପୋର୍ଟକୁ ସଂଯୋଗ କରୁଥିବା ଆପ୍ରୋଚ୍ ରୋଡ୍ ନିମାଣ କାର୍ଯ୍ୟ ଜୋରସୋରରେ ଚାଲିଛି । ମାଲକାନଗିରି ବିମାନ ବନ୍ଦରର ରନୱେ ଲମ୍ବ ୧୬ ଶହ ୨୦ ମିଟର ହୋଇଥିବା ବେଳେ ଓସାର ୩୦ ମିଟର ରହିଛି । ଆବଶ୍ୟକ ହେଲେ ଏହାକୁ ୩ କିମି ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇପାରେ । ଖୁବ୍ ଶୀଘ୍ର ରନ୍ ୱେର ଟ୍ରାଏଲ ରନ୍ କରିବା ଲାଗି ସ୍ଥିର ହୋଇଥିବା ବେଳେ ଧାର୍ଯ୍ୟ ସମୟ ସୀମା ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ଦିନ ରାତି ଏକ କରିଦେଇଛି ପ୍ରଶାସନ ।