ଯୁବକଙ୍କୁ ହତ୍ୟା କରିଥିବା ୨ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର କଲା ପୋଲିସ: ରାଉରକେଲା

ରାଉରକେଲା: ରାଉରକେଲାରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଚୁନୁ ହରିପାଲ ଏବଂ ସୁଶାନ୍ତ ନାୟକଙ୍କୁ ଝିରିପାଣି ନୂଆ ଟୋଲାରେ ଏନକାଉଣ୍ଟର କରିଛି ରାଉରକେଲା ପୋଲିସ। ଏନକାଉଣ୍ଟରରେ ଆହତ ହୋଇଥିବା ଦୁଇ ଅପରାଧୀଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନା ଭର୍ତ୍ତି କରାଯାଇଛି। ଗତ ୧୬ ତାରିଖରେ ସେକ୍ଟର-୭ ଥାନା ଅନ୍ତର୍ଗତ ସରସ୍ୱତୀ ଶିଶୁ ମନ୍ଦିର ପାଖ ରାମେଶ୍ୱର ବସ୍ତିରେ ଜଣଙ୍କୁ ହତ୍ୟା କରି ଉଭୟ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ। ଅଭିଯୁକ୍ତମାନଙ୍କୁ ଗିରଫ ଦାବିରେ ଲୋକ ଥାନାରେ ଧାରଣା ଦେଇଥିଲେ। ସଂଘବଦ୍ଧ ଆକ୍ରମଣରେ ପ୍ରାୟ ୩୦ଜଣ ଅଭିଯୁକ୍ତ ସାମିଲ ଥିବା ବେଳେ ଦୁଇ ଜଣଙ୍କୁ ଏନକାଉଣ୍ଟର କରାଯାଇଛି। ସୂଚନାଯୋଗ୍ୟ, ନିଶା ସେବନକୁ ବିରୋଧ କରିବାରୁ ଯୁବକଙ୍କୁ ସେକ୍ଟର-୬ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ସ୍କୁଲ ନିକଟସ୍ଥ ଜଙ୍ଗଲରେ ହାଣି ହତ୍ୟା କରାଯାଇଥିଲା। ମୃତକ ହେଲେ ଗୋଲଘର ରାମେଶ୍ବରପାଲି ବସ୍ତିର ତୋଫାନ ବିନ୍ଧାଣୀ(୨୯)। ସେ ରାଉରକେଲା ମହାନଗର ନିଗମ(ଆର୍‌ଏମ୍‌ସି)ରେ ହେଲ୍‌ପର ଭାବେ କାମ କରୁଥିବା ଖବର ମିଳିଛି। ପୁଲିସ ଘଟଣାସ୍ଥଳରୁ ମୃତଦେହ ଜବତ କରି ଆଇଜିଏଚ୍‌କୁ ପାଠଇଥିବାବେଳେ ସଂଘର୍ଷରେ ଗୁରୁତର ହୋଇଥିବା ଶୁଭେନ୍ଦୁ ସେଠୀଙ୍କୁ ଚିକିତ୍ସା ପରେ ଛାଡ଼ି ଦିଆଯାଇଥିଲା। ରାମେଶ୍ବରପାଲି ବସ୍ତିବାସିନ୍ଦାଙ୍କ କହିବାନୁଯାୟୀ, ନାରାୟଣପାଲି ବସ୍ତି ଲଙ୍କାଗଡ଼ର ପିଲାମାନେ ଆଖପାଖ ଅଞ୍ଚଳରେ ଗଞ୍ଜେଇ ପିଅନ୍ତି। ତୋଫାନ ବିରୋଧ କରିବାରୁ ଏଭଳି କାଣ୍ଡ ଘଟିଥିଲା।