ପୁରୀ: ମହାପ୍ରଭୁଙ୍କ କାର୍ତ୍ତିକ ମାସର ନୀତିକାନ୍ତି ଏବଂ ବିଶେଷ ପର୍ବପର୍ବାଣିକୁ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ କାର୍ତ୍ତିକ ମାସର ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି। ନୀତି ନିର୍ଘଣ୍ଟ ଅନୁଯାୟୀ, କାର୍ତ୍ତିକ ମାସରେ ପ୍ରତିଦିନ ରାତ୍ର ୪ଟାରେ ଦ୍ୱାରଫିଟା ଏବଂ ସାଢେ ୬ଟାରୁ ସାଢେ ୭ଟା ମଧ୍ୟରେ ରାଧା ଦାମୋଦର ବେଶ ଅନୁଷ୍ଠିତ ହେବ। ସେହିପରି ନଭେମ୍ବର ୧୬ ତାରିଖରେ ଅବକାଶ ପରେ ହରିହର ବେଶ ଏବଂ ୨୪ ତାରିଖରେ ରାଜାଧିରାଜ ବେଶ ଅନୁଷ୍ଠିତ ହେବ। ତେବେ ଏଥର ଦ୍ୱାଦଶୀ କ୍ଷୟ ଯୋଗୁଁ ବାଙ୍କଚୁଡ଼ ବା ବାମନ ବେଶ ହେବ ନାହିଁ ବୋଲି ବୈଠକରେ ସ୍ଥିର ହୋଇଛି। କାର୍ତ୍ତିକ ମାସରେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସିଂହଦ୍ୱାର ଦେଇ ପ୍ରବେଶ ଏବଂ ଅନ୍ୟ ତିନି ଦ୍ୱାରରେ ପ୍ରସ୍ତାନର ବ୍ୟବସ୍ଥା କରାଯିବ। ଏହାଛଡ଼ା ମହାପ୍ରସାଦ ସେବନ ସମୟରେ ଆନନ୍ଦ ବଜାରରେ ଅଧିକ ଭିଡ଼ ନ ହେବା ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ହେବ। ଅକ୍ଟୋବର ୨୨ ତାରିଖରୁ ନଭେମ୍ବର ୨୪ ଯାଏଁ ମହାପ୍ରଭୁଙ୍କ ସ୍ୱତନ୍ତ୍ର ବାଳଧୂପ ନୀତି ଅନୁଷ୍ଠିତ ହେବ। ପୁରୀ ଏସପି, ଛତିଶା ନିଯୋଗର ସେବାୟତ ପ୍ରତିନିଧି ଏବଂ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।