ଇତିହାସ ରଚିଲେ ରିଷଭ ପନ୍ତ, ଧୋନିଙ୍କ ରେକର୍ଡ ଭାଙ୍ଗି ହେଲେ ନମ୍ବର-୧ ୱିକେଟ କିପର

ନୂଆଦିଲ୍ଲୀ: ଭାରତୀୟ ୱିକେଟକିପର ବ୍ୟାଟସମ୍ୟାନ ରିଷଭ ପନ୍ତ ଟେଷ୍ଟ କ୍ରିକେଟରେ ଏକ ନୂତନ ରେକର୍ଡ ସୃଷ୍ଟି କରିଛନ୍ତି। ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ପନ୍ତ ଅର୍ଦ୍ଧଶତକ ହାସଲ କରିଛନ୍ତି। ଏହି ସମୟ ମଧ୍ୟରେ ସେ ଏମଏସ ଧୋନିଙ୍କ ରେକର୍ଡ ଭାଙ୍ଗିଛନ୍ତି। ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ପନ୍ତ ୬୫ ରନ କରିଛନ୍ତି। ଏହି ଇନିଂସ ମଧ୍ୟରେ ପନ୍ତ ଟେଷ୍ଟ କ୍ରିକେଟରେ ୩୦୦୦ ରନ ପୂରଣ କରିଛନ୍ତି। ଏହି ଇନିଂସରେ ପନ୍ତ ୬ ଚୌକା ଏବଂ ଦୁଇଟି ଛକା ମାରିଛନ୍ତି। ଏହି ଇନିଂସ ମଧ୍ୟରେ ପନ୍ତ ଏବେ ଭାରତୀୟ ୱିକେଟକିପର ଭାବରେ SENA ଦେଶରେ ସର୍ବାଧିକ ଟେଷ୍ଟ ରନ କରିବା ମାମଲାରେ ଧୋନିଙ୍କୁ ପଛରେ ପକାଇ ଦେଇଛନ୍ତି। ପ୍ରକାଶ ଯେ, ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲ୍ୟାଣ୍ଡ ଏବଂ ଅଷ୍ଟ୍ରେଲିଆ SENA ଦେଶରେ ଗଣନା କରାଯାଏ। ପନ୍ତଙ୍କ ପୂର୍ବରୁ ଏହି ରେକର୍ଡ ଧୋନିଙ୍କ ନାମରେ ଥିଲା। ଧୋନି SENA ଦେଶରେ ଟେଷ୍ଟ କ୍ରିକେଟରେ ସର୍ବାଧିକ ୧୭୩୧ ରନ କରିଥିଲେ। ବର୍ତ୍ତମାନ ଏହି ରେକର୍ଡ ପନ୍ତଙ୍କ ନାମରେ ଅଛି। ପନ୍ତ ଏପର୍ଯ୍ୟନ୍ତ ଏହି ଦେଶଗୁଡ଼ିକ ବିରୁଦ୍ଧରେ ୧୭୪୬ ରନ କରିଛନ୍ତି। ପନ୍ତଙ୍କ ୬୫ ରନର ଇନିଂସ ବିଷୟରେ କହିବାକୁ ଗଲେ, ସେ ଆସିବା ମାତ୍ରେ ତାଙ୍କର ଆକ୍ରମଣାତ୍ମକ ଶୈଳୀରେ ଇନିଂସ ଆରମ୍ଭ କରିଥିଲେ। ଯେତେବେଳେ ବି ତାଙ୍କୁ ଖରାପ ବଲ ମିଳୁଥିଲା, ସେ ସେହି ବଲ୍ ରେ ସଟ୍ ମାରିବାକୁ ହାତଛଡ଼ା କରୁନଥିଲେ। ପନ୍ତଙ୍କ ବ୍ୟତୀତ ଅଧିନାୟକ ଶୁଭମନ ଗିଲ୍ ଶତକ ହାସଲ କରି ତାଙ୍କ ସହିତ ଖେଳୁଛନ୍ତି। ଗିଲ୍ ଏପର୍ଯ୍ୟନ୍ତ ୧୨୭ ରନ କରିଛନ୍ତି। ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଟିମ୍ ଇଣ୍ଡିଆର ସ୍କୋର ତିନି ୱିକେଟ୍ ବିନିମୟରେ ୩୫୯ ରନ।

Rishabh Pant creates history