ଧନୀ ଭାରତୀୟ ହୋଇଛନ୍ତି ଆହୁରି ଧନୀ, ବଢିଛି ୬୨% ସମ୍ପତ୍ତି

ନୂଆଦିଲ୍ଲୀ: ଦେଶରେ ସର୍ବାଧିକ ଧନ ଥିବା ୧% ବ୍ୟକ୍ତିଙ୍କ ସମ୍ପତ୍ତି ୨ ଦଶନ୍ଧି ମଧ୍ୟରେ ୬୨% ବୃଦ୍ଧି ପାଇଛି। ନୋବେଲ ପୁରସ୍କାର ବିଜେତା ଜୋସେଫ୍‌ ଷ୍ଟିଗ୍ଲିଟ୍‌ଜଙ୍କ ଦ୍ୱାରା ପ୍ରସ୍ତୁତ ତଥା ଜି-୨୦ ସମର୍ଥତ୍ତ ଏକ ସଦ୍ୟ ରିପୋର୍ଟରେ ଏହା ପ୍ରକାଶ ପାଇଛି। ରିପୋର୍ଟ ମୁତାବକ ସାରା ବିଶ୍ୱରେ ଆର୍ଥିକ ଅସମାନତା ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ଧନୀ ଓ ଗରିବଙ୍କ ମଧ୍ୟରେ ଉକ୍ତ ତାରତମ୍ୟ ଏପରି ବଢ଼ିଯାଇଛି ଯେ, ଏହା ଗଣତାନ୍ତ୍ରିକ ସ୍ଥିରତା, ଆର୍ଥିକ ଆଘାତ ପ୍ରତିରୋଧ ସାମର୍ଥ୍ୟ ଏବଂ ଜଳବାୟୁ ସହଯୋଗ ପ୍ରତି ବିପଦ ସୃଷ୍ଟି କରିଛି। ଭାରତ ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହିଁ। ୨୦୨୪ ଡିସେମ୍ବର ୧ରୁ ୨୦୨୫ ନଭେମ୍ବର ୩୦ ପର୍ଯ୍ୟନ୍ତ ଜି୨୦ରେ ଅଧ୍ୟକ୍ଷତା କରୁଥିବା ଦକ୍ଷିଣ ଆଫ୍ରିକା ପକ୍ଷରୁ ପ୍ରସ୍ତୁତ ଉକ୍ତ ରିପୋର୍ଟରେ ଦର୍ଶାଯାଇଛି ଯେ, ୨୦୦୦ରୁ ୨୦୨୩ ମସିହା ମଧ୍ୟରେ ସାରା ବିଶ୍ୱରେ ୧% ସର୍ବାଧିକ ଧନୀଙ୍କ ସମ୍ପତ୍ତି ୪୧% ବଢ଼ିଛି। ଏହି ଅବଧି ମଧ୍ୟରେ ଅଧା ଗରିବଙ୍କ ସମ୍ପତ୍ତି ମାତ୍ର ୧%ରେ ସୀମିତ ରହିଛି। ରିପୋର୍ଟରେ ଏହାକୁ ବୈଶ୍ୱିକ ଜରୁରୀ ସ୍ଥିତି ବୋଲି ଅଭିହିତ କରାଯାଇଛି। ଭାରତ ଓ ଚାଇନା ଭଳି ଦେଶରେ ଏଭଳି ବ୍ୟବଧାନ ବଢ଼ିଥିବାବେଳେ ଅଧିକାଂଶ ରାଷ୍ଟ୍ରରେ ଅର୍ଥିକ ଅସମାନତା ବ୍ୟାପକ ହୋଇଛି। ବିଶ୍ୱର ପ୍ରାୟ ଅର୍ଦ୍ଧାଧିକ ଦେଶରେ ୧ ପ୍ରତିଶତ ସବୁଠୁ ଧନୀ ଅଧିକରୁ ଅଧିକ ସମ୍ପତ୍ତି ଠୁଳ କରିବାରେ ଲାଗିଛନ୍ତି। ଏହି ଦେଶଗୁଡ଼ିକର ଜନସଂଖ୍ୟା ବିଶ୍ୱର ୭୪%। ଭାରତରେ ଶୀର୍ଷ ୧ ପ୍ରତିଶତଙ୍କ ସମ୍ପତ୍ତିର ସାନ୍ଧ୍ରତା ଚାଇନାର ୫୪ ପ୍ରତିଶତଠାରୁ ଅଧିକ ରହିଛି ବୋଲି ଜୟତି ଘୋଷ, ଓ୍ବିନ୍ନିଏ ବ୍ୟାନ୍‌ୟିମା ଓ ଇମ୍ରାନ୍‌ ଭଲୋଡିଆ ସାମିଲ ଥିବା ବିଶେଷଜ୍ଞ କମିଟି ଦର୍ଶାଇଛି। ଅତ୍ୟଧିକ ଅସମାନତା ଦୂର ପାଇଁ ଏକ ଅନ୍ତର୍ଜାତୀୟ କମିଟି ଗଠକ କରାଯିବା ଉଚିତ ବୋଲି ଏଥିରେ ସୁପାରିସ କରାଯାଇଛି।

Rich Indians have become even richer