ଭିଜିଲାନ୍ସ ଜାଲରେ ରାଜସ୍ବ ନିରୀକ୍ଷକ

ବଲାଙ୍ଗୀର: ଜମିର କିସମ ବଦଳାଇବା ପାଇଁ ଟଙ୍କା ଲାଞ୍ଚ ନେଉଥିବା ବେଳେ ବଲାଙ୍ଗୀର ଜିଲ୍ଲା ସଇଁତଳା ରାଜସ୍ୱ ନିରୀକ୍ଷକ (RI) ଆଲନ ବେହେରା ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ମିଳିଥିବା ସୂଚନା ଅନୁସାରେ, ଜଣେ ଆବେଦନକାରୀ ନିଜର କୃଷିଜମିକୁ ଘରବାରୀରେ ପରିଣତ କରିବା ପାଇଁ ସରକାରୀ ନିୟମାନୁସାରେ ଅନ୍‌ଲାଇନ୍‌ରେ ଆବେଦନ କରିଥିଲେ। ଏହି ପ୍ରକ୍ରିୟାକୁ ଶୀଘ୍ର ଶେଷ କରିବା ପାଇଁ ସେ ରାଜସ୍ୱ ନିରୀକ୍ଷକ ଆଲନ ବେହେରାଙ୍କ ସହ ଯୋଗାଯୋଗ କରିଥିବା ବେଳେ, RI ଶ୍ରୀ ବେହେରା ଏଥିପାଇଁ ୬,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। ଏ ନେଇ ଆବେଦନକାରୀ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇ ଅଭିଯୋଗ କରିଥିଲେ। ଯୋଜନା ମୁତାବକ, ଆଜି ଆବେଦନକାରୀଙ୍କ ଠାରୁ ପ୍ରଥମ କିସ୍ତି ବାବଦକୁ ୩,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଟିମ୍‌ ଅତର୍କିତ ଚଢ଼ାଉ କରି RIଙ୍କୁ ରଙ୍ଗେହାତ ଗିରଫ କରିଥିଲା। ଘଟଣାସ୍ଥଳରୁ ଲାଞ୍ଚ ଅର୍ଥ ଜବତ କରାଯିବା ସହ ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ କରାଯାଇଛି। ଏହି ଘଟଣା ପରେ ଶ୍ରୀ ବେହେରାଙ୍କ ସହ ଜଡ଼ିତ ୨ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ସର୍ଚ୍ଚ ଅପରେସନ୍‌ ଜାରି ରହିଛି।