ଭୁବନେଶ୍ବର: ରାଜ୍ୟ ସରକାର ପ୍ରଶାସନିକ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି। ଅନେକ ବରିଷ୍ଠ ଆଇଏଏସ୍ ଅଫିସରଙ୍କ ଦାୟିତ୍ୱରେ ପରିବର୍ତ୍ତନ କରାଯାଇଥିବା ବେଳେ କେତେକଙ୍କୁ ନୂତନ ଏବଂ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ଏହି ଅଦଳବଦଳ ଅନୁସାରେ, ବର୍ତ୍ତମାନ କୃଷି ଓ ଖାଦ୍ୟ ଉତ୍ପାଦନ ବିଭାଗର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଆଇଏଏସ୍ ଶୁଭମ ସାକ୍ସେନାଙ୍କୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ବା ବିଡିଏର ନୂତନ ଉପାଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ଡକ୍ଟର ପୁମା ଟୁଡୁଙ୍କୁ କୃଷି ଓ ଖାଦ୍ୟ ଉତ୍ପାଦନ ବିଭାଗର ନିର୍ଦ୍ଦେଶିକା ଭାବେ ନିଯୁକ୍ତ କରାଯିବା ସହ କାଜୁ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।ସଂଗ୍ରାମ କେଶରୀ ମହାପାତ୍ର ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ (ସମ୍ବଲପୁର) ଭାବେ ଦାୟିତ୍ୱ ତୁଲାଇବା ସହିତ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ। ଡକ୍ଟର ଗଭାଲୀ ପରାଗ ହର୍ଷଦଙ୍କୁ ଜାତୀୟ ସ୍ୱାସ୍ଥ୍ୟ ମିଶନ୍ର ପରିଚାଳନା ନିର୍ଦ୍ଦେଶକ ଏବଂ ବିଜୟ ଅମୃତ କୁଳାଙ୍ଗେଙ୍କୁ ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ (ବ୍ରହ୍ମପୁର) ଭାବେ ଦାୟିତ୍ୱ ଦିଆଯାଇଛି। ଏହା ବ୍ୟତୀତ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କୁ ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ, ପ୍ରଣତୀ ଛୋଟରାୟଙ୍କୁ ଓମ୍ଫେଡ୍ର ନୂତନ ପରିଚାଳନା ନିର୍ଦ୍ଦେଶିକା ଏବଂ ଶୁଭ୍ର କୁମାର ପଣ୍ଡାଙ୍କୁ ଓଡ଼ିଶା ଆଗ୍ରୋ ଇଣ୍ଡଷ୍ଟ୍ରିଜ୍ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଅର୍ପଣ କରାଯାଇଛି। ରାଜ୍ୟରେ ପ୍ରଶାସନିକ କାର୍ଯ୍ୟଦକ୍ଷତାକୁ ଅଧିକ କ୍ରିୟାଶୀଳ ଏବଂ ସୁସଂଗଠିତ କରିବା ଲକ୍ଷ୍ୟରେ ସରକାରଙ୍କ ପକ୍ଷରୁ ଏହି ବଦଳି କରାଯାଇଛି।