ଡିସେମ୍ବରରେ ସୁଧହାର ବଢ଼ାଇବ ରିଜର୍ଭ ବ୍ୟାଙ୍କ

ବେଙ୍ଗାଲୁରୁ : ଭାରତୀୟ ରିଜର୍ଭ ବ୍ୟାଙ୍କ କର୍ତ୍ତୃପକ୍ଷ ଚଳିତ ଡିସେମ୍ବରରେ ସୁଧହାରକୁ ୩୫ ବେସିସ୍ ପଏଣ୍ଟ (ବିପିଏସ୍‌) ଅର୍ଥାତ ୬.୨୫ ପ୍ରତିଶତକୁ ବୃଦ୍ଧି କରିପାରନ୍ତି ବୋଲି ଅର୍ଥନୀତି ବିଶାରଦମାନେ ଆଶାବ୍ୟକ୍ତ କରିଛନ୍ତି । ମୁଦ୍ରାସ୍ଫୀତିକୁ କିଛିମାତ୍ରାରେ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ସୁଧହାର ବୃଦ୍ଧି କରାଯାଇପାରେ ବୋଲି ସେମାନେ କହିଛନ୍ତି । ଚଳିତବର୍ଷ ଅକ୍ଟୋବରରେ ମୁଦ୍ରାସ୍ଫୀତି ୬.୭୭ ପ୍ରତିଶତ ରହିଥିଲା । ତେବେ ମୁଦ୍ରାସ୍ଫୀତି ଉପରୁ ରିଜର୍ଭ ବ୍ୟାଙ୍କ ଏତେଶୀଘ୍ର ନଜର ହଟାଇବା ଅନୁଚିତ ବୋଲି ଅଧିକାଂଶ ଅର୍ଥନୀତିଜ୍ଞ ମତବ୍ୟକ୍ତ କରିଛନ୍ତି । ନଭେମ୍ବର ୨୨ରୁ ୩୦ ମଧ୍ୟରେ ରଏଟର୍ସ ପକ୍ଷରୁ ୫୨ ଜଣ ଅର୍ଥନୀତିଜ୍ଞଙ୍କୁ ଏହି ସର୍ଭେରେ ସାମିଲ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୩୩ ଜଣ କହିଛନ୍ତି ଯେ ଡିସେମ୍ବର ୫-୭ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ପଲିସୀ ମିଟିଂରେ ରିଜର୍ଭ ବ୍ୟାଙ୍କ କର୍ତ୍ତୃପକ୍ଷ ସୁଧହାର ୩୫ ବେସିସ୍ ପଏଣ୍ଟ ବୃଦ୍ଧି କରିପାରନ୍ତି । ଅପରପକ୍ଷରେ ୧୧ ଜଣ ଅର୍ଥନୀତିଜ୍ଞ ମତ ଦେଇଛନ୍ତି ଯେ ରିଜର୍ଭ ବ୍ୟାଙ୍କ୍ ସୁଧହାରରେ ୫୦ ବେସିସ୍ ପଏଣ୍ଟ ବୃଦ୍ଧି କରିବାର ସମ୍ଭାବନା ରହିଛି । ଅବଶିଷ୍ଟ ୮ ଜଣ ଅର୍ଥନୀତିଜ୍ଞ କହିଛନ୍ତି ଏହି ପରିମାଣ ୨୫ ବେସିସ୍ ପଏଣ୍ଟରେ ସୀମିତ ରଖାଯାଇପାରେ । ମୁଦ୍ରାସ୍ଫୀତି ସ୍ଥିତି ସୁଧୁରୁଥିବାବେଳେ ୫୦ ବେସିସ୍ ପଏଣ୍ଟ ବୃଦ୍ଧି ଯୋଜନା ବୁଦ୍ଧିମାନର କାର୍ଯ୍ୟ ହେବ ନାହିଁ ବୋଲି ଏଚ୍‌ଡିଏଫ୍‌ସିର ମୁଖ୍ୟ ଅର୍ଥନୀତିଜ୍ଞ ସାକ୍ଷୀ ଗୁପ୍ତା କହିଛନ୍ତି । ତେବେ ଏହାକୁ ଦୁଇଭାଗରେ ବିଭକ୍ତ କରାଗଲେ ସୁଫଳ ମିଳିବ ବୋଲି ସେ କହିଛନ୍ତି । ଡିସେମ୍ବରରେ ୩୫ ବିପିଏସ୍ ଏବଂ ଆସନ୍ତାବର୍ଷ ଫେବୃଆରୀରେ ଆଉ ୨୫ ବିପିଏସ୍ ବୃଦ୍ଧି କରାଗଲେ ରିଜର୍ଭ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଲକ୍ଷ୍ୟ ହାସଲରେ ସୁବିଧା ହୋଇପାରେ ବୋଲି ସେ କହିଛନ୍ତି । ଅପରପକ୍ଷରେ ବିପିଏସ୍ ନିର୍ଦ୍ଧାରଣ ପ୍ରସଙ୍ଗରେ ରିଜର୍ଭ ବ୍ୟାଙ୍କ କର୍ତ୍ତୃପକ୍ଷ ଡଲାର-ଟଙ୍କା ବିନିମୟ ମୂଲ୍ୟକୁ ବିଚାରକୁ ନେବେ ବୋଲି ମଧ୍ୟ ଅନୁମାନ କରାଯାଉଛି ।