ରେପୋ ରେଟ୍ ୨୫ ବେସିସ୍ ପଏଣ୍ଟ ହ୍ରାସ: ୫ ବର୍ଷ ପରେ ଖସିଲା, କମିବ ଋଣ ଇଏମ୍‌ଆଇ

ନୂଆଦିଲ୍ଲୀ : ଆୟକର କୋହଳ ପରେ ମଧ୍ୟବିତ୍ତଙ୍କୁ ଆଉ ଏକ ବଡ ଉପହାର ମିଳିଛି। ୫ବର୍ଷ ପରେ ରେପୋ ରେଟରେ ହ୍ରାସ ଦେଖିବାକୁ ମିଳିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ଘୋଷଣା କରିଛନ୍ତି ଯେ, ସାମ୍ପ୍ରତିତ ଆର୍ଥିକ ସ୍ଥିରତାକୁ ଦୃଷ୍ଟରେ ରଖି ରେପୋ ରେଟ୍‌କୁ ୨୫ ବେସିସ୍ ପଏଣ୍ଟ ହ୍ରାସ କରାଯାଇଛି। ଏହାକୁ ୬.୫%ରୁ ୬.୨୫%କୁ ହ୍ରାସ କରାଯାଇଛି। ଏମ୍‌ପିସି (ମନିଟାରୀ ପଲିସି କମିଟି)ର ୩ ଦିନିଆ ବୈଠକରେ ଏନେଇ ସହମତି ପ୍ରକାଶ ପାଇଥିବା ସେ ସୂଚନା ଦେଇଛନ୍ତି। ଆରବିଆଇ ଗଭର୍ଣ୍ଣର କହିଛନ୍ତି, ଏମପିସିର ସମସ୍ତ ସଦସ୍ୟ ରେପୋ ରେଟ୍ ହ୍ରାସ ସପକ୍ଷରେ ମତ ଦେଇଛନ୍ତି। ପ୍ରକାଶ, ଗଭର୍ଣ୍ଣର ଭାବେ ସଞ୍ଜୟ ମାଲହୋତ୍ରା ପ୍ରଥମ ଥର ପାଇଁ ମୁଦ୍ରା ନୀତି କମିଟିର ନିଷ୍ପତ୍ତି ଘୋଷଣା କରିଛନ୍ତି। ରେପୋ ରେଟ୍ ହ୍ରାସ ପରେ ଏବେ ମଧ୍ୟବିତ୍ତଙ୍କ ଉପରୁ ଇଏମ୍‌ଆଇ ବୋଝ ସାମାନ୍ୟ ହ୍ରାସ ପାଇବ। ଏହା ଏକ ବଡ଼ ଆଶ୍ୱସ୍ତି ବୋଲି ବିବେଚନା କରାଯାଉଛି। ଦୀର୍ଘ ୫ବର୍ଷ ଧରି ଆରବିଆଇ ପକ୍ଷରୁ ରେପୋ ରେଟ୍‌କୁ ଅପରିବର୍ତ୍ତିତ ରଖାଯାଇଆସୁଥିଲା। ସିଧାଅର୍ଥରେ କହିଲେ ଶେଷଥର ପାଇଁ ୨୦୨୦ରେ ରେପୋ ରେଟ୍ ହ୍ରାସ ପାଇଥିଲା। କିନ୍ତୁ ୨୦୨୩ରେ ରେପୋ ରେଟ୍‌ରେ ପରିବର୍ତ୍ତନ କରାଯାଇ ଏହାକୁ ୬.୫%କୁ ବୃଦ୍ଧି କରାଯାଇଥିଲା। ଏହା ପରଠାରୁ ପ୍ରଥମ ଥର ରେପୋ ରେଟ୍‌ରେ କୌଣସି ପରିବର୍ତ୍ତନ ହୋଇନଥିଲା। ୨୦୨୩ ପରେ ପ୍ରଥମ ଥର ରେପୋ ହାର ପରିବର୍ତ୍ତନ ହୋଇଥିବା ବେଳେ ୫ ବର୍ଷ ପରେ ହ୍ରାସ ପାଇଛି। ଅର୍ଥନୈତିକ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବା, ବ୍ୟୟ ବୃଦ୍ଧି ଏବଂ ଅର୍ଥନୈତିକ ଅଭିବୃଦ୍ଧି ସହ ପୁଞ୍ଜି ନିବେଶକୁ ପ୍ରୋତ୍ସାହିତ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଏପରି ନିଷ୍ପତ୍ତି ନେଇଥିବା ଗଭର୍ଣ୍ଣର ଶ୍ରୀ ମାଲହୋତ୍ରା କହିଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ହ୍ରାସ ପାଇଛି। ଏଣୁ ରିଜର୍ଭ ବ୍ୟାଙ୍କ ଆଗରେ ଅନେକ ବଡ଼ ଚ୍ୟାଲେଞ୍ଜ ରହିଛି। ତେବେ ଏହି ନୀତିଗତ ପରିବର୍ତ୍ତନ ଉଦୀୟମାନ ଅର୍ଥନୈତିକ ପରିସ୍ଥିତି ପ୍ରତି କେନ୍ଦ୍ରୀୟ ବ୍ୟାଙ୍କର ପ୍ରତିକ୍ରିୟା ଏବଂ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତିକୁ ରୋକିବା ସହିତ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ପ୍ରତି ଏହାର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ବୋଲି ଏହି ଅବସରରେ ଗଭର୍ଣ୍ଣର ସ୍ପଷ୍ଟ କରିଛନ୍ତି।

Repo rate cut by 25 basis points: 5-year low