ଢେଙ୍କାନାଳ: କଟକ କମର୍ସିଆଲ୍ କୋର୍ଟଙ୍କ କଡ଼ା ନିର୍ଦ୍ଦେଶ କ୍ରମେ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ସିଲ୍ କରାଯାଇଛି । ରାଜଲକ୍ଷ୍ମୀ କନଷ୍ଟ୍ରକସନ ଠିକା ସଂସ୍ଥାର ବକେୟା ଅର୍ଥ ପଇଠ କରିବାରେ ବିଫଳ ହେବାରୁ ରେଙ୍ଗାଳି ବାମ ବନ୍ଧ କେନାଲ କାର୍ଯ୍ୟାଳୟକୁ ସିଲ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ‘ରାଜଲକ୍ଷ୍ମୀ କନଷ୍ଟ୍ରକସନ’ ନାମକ ଏକ ଠିକା ସଂସ୍ଥା କାମାକ୍ଷାନଗର ଅଞ୍ଚଳରେ ୨୦୦୪ ମସିହାରେ ପ୍ରାୟ ୯ କୋଟି ଟଙ୍କାର କେନାଲ କାମ କରିବା ପାଇଁ ଚୁକ୍ତି କରିଥିଲା। ତେବେ କାମ ଚାଲିଥିବା ସମୟରେ ବିଭାଗ ପକ୍ଷରୁ ସମ୍ପୂର୍ଣ୍ଣ ସାଇଟ୍ ଯୋଗାଇ ଦିଆଯାଇ ନପାରିବାରୁ ବିଭାଗ ନିଜ ଆଡୁ କାମଟିକୁ ବନ୍ଦ କରିଦେଇଥିଲା। ଏହା ସହ ଠିକାଦାରଙ୍କ ପ୍ରାପ୍ୟକୁ ମଧ୍ୟ ଅଟକାଇ ଦିଆଯାଇଥିଲା। ଠିକାଦାର ଜଣକ ନିଜର ହକ୍ ପାଇଁ ଆର୍ବିଟ୍ରେସନର ସହାୟତା ନେଇଥିଲେ। ଯେଉଁଠାରେ କମ୍ପାନୀ କର୍ତ୍ତୃପକ୍ଷ ଦୁଇଟି କାମ ବାବଦକୁ ପ୍ରାୟ ୫୨ ଲକ୍ଷ ଏବଂ ୨୯ ଲକ୍ଷ ଟଙ୍କା ବକେୟା ରହିଥିଲା। ଯାହା ବର୍ତ୍ତମାନ ପ୍ରାୟ ୩କୋଟିରୁ ଉର୍ଦ୍ଧ୍ୱ ହେବ ବୋଲି କମ୍ପାନୀ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏହାକୁ ବିରୋଧ କରି ଜଳସେଚନ ବିଭାଗ ଜିଲ୍ଲା କୋର୍ଟ, ହାଇକୋର୍ଟ ଏବଂ ପରିଶେଷରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ସବୁଠି ସେମାନେ ବିଫଳ ହୋଇଥିଲେ। ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ବିଭାଗ ଟଙ୍କା ପଇଠ ନକରିବାରୁ ଏବଂ ଅଫିସକୁ ଆସୁଥିବା କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗ ହେବା ପରେ, ମାମଲାଟି କଟକ କମର୍ସିଆଲ୍ କୋର୍ଟକୁ ଯାଇଥିଲା। ଦୁଇ ବର୍ଷ ଧରି ମାମଲା ଚାଲିବା ପରେ ଆଜି ଅଧିକାରୀଙ୍କ ଉପସ୍ଥିତିରେ ଏହି ଅଫିସଟିକୁ ସିଲ୍ କରାଯାଇଛି ।