ଆଜି ମଧ୍ୟରାତ୍ରରେ ଲ୍ୟାଣ୍ଡ ଫଲ କରିବ ‘ରେମଲ’

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶନିବାର ସାମୁଦ୍ରିକ ଝଡ଼ରେ ପରିଣତ ହେବା ସହିତ ଆଜି ମଧ୍ୟରାତ୍ରୀ ସୁଦ୍ଧା ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଉପକୂଳ ଛୁଇଁବ ବାତ୍ୟା ‘ରେମଲ’ I ଏନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ସତର୍କ କରି ଦିଆଯାଇଛି। ସ୍ଥଳ ଭାଗ ଛୁଇଁବା ପରେ ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଉପକୂଳ ବ୍ୟତୀତ ଉତ୍ତରପୂର୍ବାଞ୍ଚଳର କିଛି ରାଜ୍ୟ ପ୍ରଭାବିତ ହେବ ବୋଲି ଆଇଏମଡି କହିଛି। ଏଥିପାଇଁ ପଶ୍ଚିମବଙ୍ଗ ର ଉପକୂଳ ଅଞ୍ଚଳ ପାଇଁ ରେଡ ୱାର୍ଣ୍ଣିଂ ଜାରି ହୋଇଛି । ଉତର-ପଶ୍ଚିମ ଓ ସଂଲଗ୍ନ ଉତର-ପୂର୍ବ ବଙ୍ଗୋପସାରରେ ବାତ୍ୟା ଅଧିକ ଘନୀଭୂତ ହେବା ସହ ୬ ଘଂଟା ଧରି ୬ କିଲୋମିଟର ବେଗରେ ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡକୁ ଗତି କରୁଛି । ଏହି ଭୀଷଣ ବାତ୍ୟାର ପ୍ରଭାବ ସିଧାସଳଖ ଓଡ଼ିଶା ପଡୁନଥିଲେ ମଧ୍ୟ ଉପକୂଳ ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଘଣ୍ଟା ପ୍ରତି ୧୧୦ରୁ ୧୨୦ କିଲୋମିଟର ବେଗରେ ପବନ ବହିବା ସହ ବିଭିନ୍ନ ସ୍ଥାନରେ ପ୍ରବଳରୁ ପ୍ରବଳ ବର୍ଷା ହେବ ବୋଲି ଆଇଏମଡି ସତର୍କ କରି ଦେଇଛି। ୨୬ ଏବଂ ୨୭ ତାରିଖରେ ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ଯଥା ବାଲେଶ୍ୱର,ମୟୁରଭଞ୍ଜ,ଭଦ୍ରକଏବଂ କେନ୍ଦ୍ରାପଡା ଆଦି ଉପକୂଳ ଅଂଚଳରେ ପ୍ରବଳ ବର୍ଷା ହେବ ସୂଚନା ଦିଆଯାଇଛି। ଆଜି ସକାଳେ ରାଜଧାନୀ ଭୁବନେଶ୍ୱର ସମେତ ଏହାର ଆଖ ପାଖ ଅଞ୍ଚଳ ମେଘୁଆ ରହିଛି I

ରେମାଲ୍ ସ୍ଥଳଭାଗ ଅତିକ୍ରମ କରିବା ସମୟରେ ପଶ୍ଚିମବଙ୍ଗ ଓ ବାଂଲାଦେଶର ତଳିଆ ଅଞ୍ଚଳରେ ୧.୫ ମିଟର ପର୍ଯ୍ୟନ୍ତ ସାମୁଦ୍ରିକ ଜୁଆର ଆସିବା ସହିତ ସଂପୃକ୍ତ ଅଞ୍ଚଳକୁ ଜଳମଗ୍ନ କରିବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ୨୭ ତାରିଖ ସକାଳ ପର୍ଯ୍ୟନ୍ତ ଉତ୍ତର ବଙ୍ଗୋପସାଗରରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବାକୁ ସତର୍କ କରାଇ ଦିଆଯାଇଛି। ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଜିଲ୍ଲା ଦକ୍ଷିଣ ଓ ଉତ୍ତର ୨୪ ପ୍ରଗଣାରେ ଦୁଇ ଦିନ ପାଇଁ ରେଡ୍‌ ଆଲର୍ଟ ଜାରି କରାଯାଇଛି। ଆଇଏମଡି ସୂଚନା ଅନୁଯାୟୀ ଚଳିତ ବର୍ଷ ମୌସୁମୀ ପୂର୍ବରୁ ବଙ୍ଗୋପସାଗରରେ ଏହା ହେଉଛି ପ୍ରଥମ ସାମୁଦ୍ରିକ ଝଡ଼।