ଉତ୍ତରପ୍ରଦେଶ :ବେଆଇନ ଧର୍ମାନ୍ତରଣର ଏକ ବଡ଼ ରାକେଟ ପର୍ଦ୍ଦାଫାଶ କରିଛି ଆତଙ୍କବାଦ ନିରୋଧୀ ସ୍କ୍ଵାଡ୍(ଏଟିଏସ)। ଏହି ରାକେଟର ମାଷ୍ଟରମାଇଣ୍ଡ ଜମାଲୁଦ୍ଦିନ ଓରଫ ଛାଙ୍ଗୁର ବାବାଙ୍କୁ ଗିରଫ କରାଯାଇଛି। ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ନୀତି ରୋହରା ସରଫ ନସରୀନକୁ ବି ଗିରଫ କରାଯାଇଛି। ଧର୍ମାନ୍ତରଣ ପାଇଁ ବିଦେଶରୁ ୧୦୦ କୋଟି ଟଙ୍କାର ପାଣ୍ଠି ମିଳିଥିବା ତଦନ୍ତରୁ ଜଣାପଡ଼ିଛି। ସୂଚନା ଅନୁସାରେ, ଜମାଲୁଦ୍ଦିନ ଓରଫ ଛାଙ୍ଗୁର ବାବା ନିଜକୁ ହାଜି ପୀର ଜଲାଲୁଦ୍ଦୀନ ନାମରେ ପ୍ରଚାରିତ କରୁଥିଲା। ଯୁବତୀମାନଙ୍କୁ ସେ ପ୍ରଲୋଭିତ କରି ଧର୍ମାନ୍ତରଣ କରୁଥିବା ଅଭିଯୋଗ ରହିଥିଲା। ଧର୍ମାନ୍ତରଣ ପାଇଁ ଭିନ୍ନ ଭିନ୍ନ ଜାତିର ଝିଅଙ୍କ ଲାଗି ଅଲଗା ଅଲଗା ମୂଲ୍ୟ ଦିଆଯାଉଥିଲା। ବଳରାମପୁରର ଉଟରୌଲା ଅଞ୍ଚଳରେ ଦୀର୍ଘ ଦିନ ଧରି ଏହି ରାକେଟ ଚାଲିଆସୁଥିଲା। ଏହି ନେଟୱର୍କ ପରିଚାଳନା ପାଇଁ ବିଦେଶରୁ ୧୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ପାଣ୍ଠି ମିଳିଥିବା ନେଇ ତଥ୍ୟ ହସ୍ତଗତ ହୋଇଛି।
ଏଡିଜିପିଙ୍କ ସୂଚନା ଅନୁସାରେ, ଜମାଲୁଦ୍ଦିନ ୪୦ରୁ ୫୦ ଇସଲାମିକ ଦେଶକୁ ଯାତ୍ରା କରିଛି। ବଳରାମପୁରରେ ସେ ବହୁ ପରିମାଣର ସମ୍ପତ୍ତି କିଣିଥିବା ତଦନ୍ତରୁ ସୂଚନା ମିଳିଛି। ଉତ୍ତରପ୍ରଦେଶର ଏଟିଏସ ଏହି ମାମଲାର ତଦନ୍ତ ଚଳାଇଛି। ଧର୍ମାନ୍ତରଣର ଏହି ନେଟୱର୍କ ସାରା ଭାରତକୁ ଲମ୍ବିଛି ବୋଲି କୁହାଯାଇଛି।