ରିଲ୍ସ ବନେଇବା ପଡିବ ମହଙ୍ଗା

ନୂଆଦିଲ୍ଲୀ: ଦୀର୍ଘଦିନ ପରେ କଠୋର ହେଲା ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏମଆରସି) । ଏବେ ମେଟ୍ରୋରେ ରିଲ୍ସ ପ୍ରସ୍ତୁତ କରିବାକୁ ଯାଇ କୌଣସି ବିବାଦୀୟ କାର୍ଯ୍ୟ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ । ଏନେଇ ଆଜି ଗଣାମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଡିଏମଆରସି ମୁଖ୍ୟ ବିକାଶ କୁମାର ।

ତେବେ ଦିଲ୍ଲୀ ମେଟ୍ରୋରେ ଅନେକ ସମୟରେ ରିଲ୍ସ ତିଆରି କରିବା ବାହାନାରେ କିଛି ନା କିଛି ଅଦ୍ଭୁତ ଓ ବିବାଦୀୟ ଘଟଣା ସାମ୍ନାକୁ ଆସୁଛି । ଯାହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏଭଳି ପରିସ୍ଥିତିରେ ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏମଆରସି) ମୁଖ୍ୟ ବିକାଶ କୁମାର ଲୋକମାନଙ୍କୁ ଏପରି ‘ଆପତ୍ତିଜନକ’ କାର୍ଯ୍ୟ ନକରିବାକୁ ନିବେଦନ କରିଛନ୍ତି । ଏଭଳି ଘଟଣାକୁ ରୋକିବା ପାଇଁ ପଦକ୍ଷେପ ନିଆଯାଉଛି, ଆଉ ଯଦି କେହି ଏପରି କାର୍ଯ୍ୟ କରୁଥିବାର ସାମ୍ନାକୁ ଆସନ୍ତି ତେବେ ତାଙ୍କ ବିରୁଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

ମେଟ୍ରୋରେ ଏଭଳି କାର୍ଯ୍ୟକଳାପକୁ ରୋକିବା ପାଇଁ ଡିଏମଆରସି ଚେଷ୍ଟା କରୁଛି । ମେଟ୍ରୋରେ ଯାତ୍ରା କରୁଥିବା କିଛି ଲୋକ ରିଲ୍ସ ପ୍ରସ୍ତୁତ କରି ଟ୍ରେଣ୍ଡରେ ରହିବାକୁ ଟ୍ରେନ୍ ଭିତରେ କିମ୍ବା ପ୍ଲାଟଫର୍ମରେ ଟ୍ରେଣ୍ଡ ଗୀତରେ ନାଚନ୍ତି ଏବଂ ଅନ୍ୟ ମାନେ ସେମାନଙ୍କ ଭିଡିଓ କରନ୍ତି । ଏହିପରି କିଛି ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ପ୍ରେମୀ ଯୁଗଳମାନେ ଟ୍ରେନରେ ଅନେକ ଅଜବ କାଣ୍ଡ ଘଟାଉଥିବାର ଦେଖିବାକୁ ମିଳିଥିବା କହିଛନ୍ତି ବିକାଶ କୁମାର ।

ସେ ଆହୁରି କହିଛନ୍ତି ଯେ, ଏହିପରି ଏକ ଭିଡିଓ ‘ଏକ୍ସ’ ରେ ମଧ୍ୟ ସାମ୍ନାକୁ ଆସିଥିଲା ​​ଯେଉଁଥିରେ ଜଣେ ଯୁବତୀ ବହୁତ ଛୋଟ ପୋଷାକ ପିନ୍ଧିଥିବାର ନଜର ଆସିଥିଲେ, ଯାହା ପରେ ସର୍ବସାଧାରଣ ସ୍ଥାନରେ ସାଜସଜ୍ଜା ଏବଂ ବ୍ୟକ୍ତିଗତ ସ୍ୱାଧୀନତା ବିଷୟରେ ଏକ ଅନଲାଇନ୍ ବିତର୍କ ଆରମ୍ଭ ହୋଇଥିଲା ।

ଡିଏମଆରସି ପରିଚାଳନା ନିର୍ଦ୍ଦେଶକ କୁମାର କହିଛନ୍ତି ଯେ, ”ମେଟ୍ରୋ ପରିସରରେ ସବୁ ସ୍ଥାନରେ ସୁରକ୍ଷାକର୍ମୀ ନିୟୋଜିତ ହୋଇପାରିବେ ନାହିଁ ଏବଂ ଯାତ୍ରୀମାନଙ୍କୁ ଏଭଳି ଘଟଣା କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି, “ଆମେ ପ୍ରଥମେ ସେହି ଲୋକଙ୍କୁ ପରାମର୍ଶ ଦେବାକୁ ଚେଷ୍ଟା କରୁଛୁ ଯେଉଁମାନେ ମେଟ୍ରୋରେ ଏପରି ଅଜବ କାର୍ଯ୍ୟ ଘଟାଇଥାନ୍ତି । ସମାଜର ହିତ ପାଇଁ ଏପରି ଆପତ୍ତିଜନକ କାର୍ଯ୍ୟକଳାପରେ ଜଡିତ ନହେବା ପାଇଁ ଆମେ ସେହି ଲୋକଙ୍କୁ ନିବେଦନ କରୁଛୁ ।
ଜଣେ ବ୍ୟକ୍ତି ସବୁ ସ୍ଥାନରେ ଉପସ୍ଥିତ ରହିପାରିବେ ନାହିଁ, ତେଣୁ ଏପରି ଲୋକଙ୍କୁ ଧରିବା ଏବଂ ଯଦି ସେମାନେ ଏପରି ଆପତ୍ତିଜନକ କାର୍ଯ୍ୟକଳାପ ଦେଖନ୍ତି ତେବେ କର୍ତ୍ତୃପକ୍ଷଙ୍କୁ ଜଣାଇବା ନାଗରିକଙ୍କ ଦାୟିତ୍ବ ଅଟେ” ।