ରାୟଗଡା: ଭାରତୀୟ ପାଣିପାଗ ବିଭାଗ (IMD)ର ପୂର୍ବାନୁମାନ ଅନୁଯାୟୀ କାକିନାଡା ଉପକୂଳରେ ବାତ୍ୟା ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି, ଯାହାର ପ୍ରଭାବ ଦକ୍ଷିଣ ଓଡ଼ିଶାରେ ପଡ଼ିବ ବୋଲି ଆଶଙ୍କା କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ରାୟଗଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଜିଲ୍ଲା, ବ୍ଲକ ଏବଂ ତହସିଲ/ପୌରାଞ୍ଚଳ ସ୍ତରରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକ୍ଷମ ହୋଇଛି । ଲୋକଙ୍କ ସୁବିଧା ପାଇଁ କଣ୍ଟ୍ରୋଲ ରୁମ୍ ନମ୍ବର ୦୬୮୫୬-୨୨୪୦୬୨ ଏବଂ ୨୨୪୦୮୨ ଜାରି କରାଯାଇଛି । ଉଦ୍ଧାର କାର୍ଯ୍ୟ ପାଇଁ ରାୟଗଡ଼ା ଜିଲ୍ଲାରେ ୩ଟି ଓଡ୍ରାଫ୍ (ODRAF) ଦଳ ଏବଂ ଗୋଟିଏ ଏନଡିଆରଏଫ୍ (NDRF) ଦଳ ମୁତୟନ ହୋଇଛନ୍ତି । ଏହା ସହିତ ୧୧ଟି ଅଗ୍ନିଶମ ବାହିନୀ ଦଳକୁ ପ୍ରସ୍ତୁତ ରଖାଯାଇଥିବା ବେଳେ ଗୁଣୁପୁର, ଗୁଡାରି ଓ କେ.ସିଂହପୁରରେ ୩ଟି ପାୱାର ବୋଟ୍ ନିୟୋଜିତ କରାଯାଇଛି । ଜିଲ୍ଲାରେ ମୋଟ ୧୪୮ଟି ବିପଦପୂର୍ଣ୍ଣ ଗ୍ରାମ ଚିହ୍ନଟ କରାଯାଇଛି । ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିବା ପାଇଁ ୩ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ (ହଟ୍ଟଶେଷଖାଲ୍, ବିକ୍ରମପୁର, କୁଟ୍ରାଗଡ଼) ଏବଂ ୧୩୧ଟି ଅସ୍ଥାୟୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଛି । ଜରୁରୀକାଳୀନ ପରିସ୍ଥିତି ପାଇଁ ଜିଲ୍ଲା ସ୍ତରରେ ଗୋଦାମରେ ୪୦ କ୍ୱିଣ୍ଟାଲ ଚୁଡା, ୫୦ କ୍ୱିଣ୍ଟାଲ ଗୁଡ, ୩୬୦୦ କ୍ୟାଣ୍ଡେଲ, ୯୬,୯୦୦ ମ୍ୟାଚବକ୍ସ ଏବଂ ୧,୭୪,୮୦୦ ବିସ୍କୁଟ ପ୍ୟାକେଟ୍ ମହଜୁଦ ରଖାଯାଇଛି।