ଭୁବନେଶ୍ୱର, ମାର୍ଚ୍ଚ ୧୮: ଫୁସ୍ଫୁସ୍ରେ କର୍କଟ ରୋଗ ଭଳି ଗଭୀର ସମସ୍ୟା ଥିବା ସତ୍ୱେ ସ୍ଥାନୀୟ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲର ଶଲ୍ୟ ଚିକିତ୍ସକମାନେ ଜଣେ ୪୫ ବର୍ଷ ବୟସ୍କ ମହିଳାଙ୍କର ବିରଳ ତଥା ସଫଳ ଅସ୍ତ୍ରୋପଚାର କରିପାରିଛନ୍ତି ।
ମହିଳା ଜଣକ କିଛି ଦିନ ଧରି ଅସୁସ୍ଥ ଥିଲେ ଓ ତାଙ୍କ କାଶରେ ରକ୍ତ ପଡୁଥିଲା । ଅନ୍ୟ ଡାକ୍ତରଖାନାରେ ତାଙ୍କୁ ଯକ୍ଷ୍ମା ହୋଇଛି ବୋଲି କୁହାଯାଇଥିଲା । ପରବର୍ତୀ ସମୟରେ ସେ ଚିକିତ୍ସା ନିମନ୍ତେ ସୋଆ ବିଶ୍ୱବିଦ୍ୟାଳୟ ପରିଚାଳିତ ସମ୍ ହସ୍ପିଟାଲକୁ ଆସିଥିଲେ ।
ସମ୍ ହସ୍ପିଟାଲର ପଲମୋନାରୀ ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ବନାନୀ ଜେନା ଓ ପ୍ରଫେସର ରାକ୍ଷୀ ଲୁଦାମ୍ ତାଙ୍କର ପରୀକ୍ଷା କରିବା ପରେ ତାଙ୍କର ସମସ୍ୟା ଯକ୍ଷ୍ମା ନୁହେଁ ମାତ୍ର ଫୁସ୍ଫୁସ୍ରେ କର୍କଟ ବୋଲି ଜଣାପଡିଥିଲା । ତାଙ୍କୁ ଅଙ୍କୋସର୍ଜରୀ ବିଭାଗରେ ଚିକିତ୍ସିତ ହେବା ପାଇଁ ପରାମର୍ଶ ଦିଆଯାଇଥିଲା ।
ଅଙ୍କୋସର୍ଜରୀ ବିଭାଗର ମୁଖ୍ୟ ଡ. ସୁନୀଲ ଅଗ୍ରୱାଲଙ୍କ କହିବା ଅନୁଯାୟୀ ରୋଗୀଙ୍କର ବାମ ପାଶ୍ୱର୍ ଫୁସ୍ଫୁସ୍ରେ ମ୍ୟୁକୋଏପିଡରମଏଡ କ୍ୟାନସର ହୋଇଥିବା ଜଣାପଡିଲା ପରେ ଏହାର ଶଲ୍ୟ ଚିକିତ୍ସା ନିମନ୍ତେ ପ୍ରସ୍ତୁତି ହୋଇଥିଲା । ଏହି ପ୍ରକାର କର୍କଟ ୨୦ ଲକ୍ଷରେ ଜଣେ ଲୋକକୁ ହୋଇଥାଏ ବୋଲି ଡ. ଅଗ୍ରୱାଲ କହିଛନ୍ତି ।
ଏହି ଅସ୍ତ୍ରୋପଚାର ପ୍ରାୟ ୫ ଘଂଟା ଧରି ହୋଇଥିଲା ଏବଂ ଏଥିରେ ତାମିଲନାଡୁସ୍ଥିତ ଥଙ୍ଗମ କ୍ୟାନସର ସେଂଟରର ବିଶେଷଜ୍ଞ ଡ. ସରଭାନା ରାଜାମନିକମ ସାମିଲ ହୋଇଥିଲେ । ଡାକ୍ତର ରାଜାମନିକମ ଫୁସ୍ଫୁସ୍ କର୍କଟ ଚିକିତ୍ସାରେ ଜଣେ ବିଶିଷ୍ଟ ବିଶେଷଜ୍ଞ ଭାବେ ପରିଚିତ ।
ଏହି ପ୍ରକାର ଅସ୍ତ୍ରେପଚାରରେ ଚୀନ ସ୍ଥିତ ସାଂଘାଇ ଠାରେ ବିଶେଷ ତାଲିମ ପାଇଥିବା ଡାକ୍ତର ଅଗ୍ରୱାଲ କହିଲେ ସମ୍ ହସ୍ପିଟାଲ କର୍ତୃପକ୍ଷ ଏହି ଅସ୍ତ୍ରୋପଚାର ନିମନ୍ତେ ଆବଶ୍ୟକୀୟ ଯନ୍ତ୍ରପାତି ପୂର୍ବରୁ ଯୋଗାଡ କରି ରଖିଥିବାରୁ ଏହା ସମ୍ଭବ ହୋଇପାରିଲା । ଏଥି ନିମନ୍ତେ ସେ ସୋଆ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଂଜନ ନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ମେଡିକାଲ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାରଙ୍କୁ ଧନ୍ୟବାଦ ଜଣାଇଥିଲେ ।
ଅସ୍ତ୍ରେପଚାରର ୭ ଦିନ ପରେ ରୋଗୀଙ୍କୁ ଡାକ୍ତରଖାନାରୁ ଡିସ୍ଚାର୍ଜ କରାଯାଇଥିଲା ।
ଏହି ଅସ୍ତ୍ରୋପଚାରରେ କ୍ରିଟିକାଲ କେୟାର ବିଭାଗର ପ୍ରଫେସର (ଡାକ୍ତର)ସନ୍ତୋଷ ସିଂହ, ନିଶ୍ଚେତକ ବିଭାଗର ମୁଖ୍ୟ ଡାକ୍ତର ଶାଶ୍ୱତ ପଟ୍ଟନାୟକ, ଅଙ୍କୋସର୍ଜରୀ ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ସୁଦାମ ଷଡଙ୍ଗୀ, ଡାକ୍ତର ସ୍ନେହାଶିଷ ପ୍ରଧାନ ଓ ଡାକ୍ତର ଶ୍ୟାମ ହରିଚନ୍ଦନ ଓ ଆସିଷ୍ଟାଂଟ ପ୍ରଫେସର ଡାକ୍ତର ଅମିତ ସାମଲ ସାମିଲ ଥିଲେ ।