ଶୁଭାରମ୍ଭ ହେଲା ରାପିଡ ଟ୍ରେନ ‘ନମୋ ଭାରତ’

ନୂଆଦିଲ୍ଲୀ: ଦେଶକୁ ମିଳିଲା ପ୍ରଥମ ରାପିଡ ଟ୍ରେନ ‘ନମୋ ଭାରତ’ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗାଜିଆବାଦର ବସୁନ୍ଧରା ସେକ୍ଟର-୮ରେ ନମୋ ଭାରତକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।  ଆସନ୍ତା କାଲିଠାରୁ ସାଧାରଣ ଲୋକଙ୍କ ପାଇଁ ରାପିଡ ଟ୍ରେନ ସେବା ଆରମ୍ଭ କରାଯିବ ।

ପ୍ରଥମ ପର୍ଯ୍ୟାୟରେ ଏହା ଦିଲ୍ଲୀ-ଗାଜିଆବାଦ-ମେରଠ କରିଡରରେ ସାହିବାବାଦରୁ ଦୁହାଇ ଡିପୋ ପର୍ଯ୍ୟନ୍ତ ୧୭ କିମି ଯାତ୍ରା କରିବ । ଏହି କରିଡରର ଲମ୍ବ ୮୨ କିମି ,ଯାହାର ୧୪ କିମି ଅଂଶ ଦିଲ୍ଲୀରେ ଏବଂ ୬୮କିମି ଅଂଶ ଉତ୍ତର ପ୍ରଦେଶରେ ରହିଛି । ଏହି ଟ୍ରେନ ଦ୍ୱାରା ଦେଶର ଆଞ୍ଚଳିକ ଯୋଗାଯୋଗ ଆହୁରି ମଜବୁତ ହେବ । ଏହି କାର୍ଯ୍ୟକ୍ରମରେ ୟୁପି ରାଜ୍ୟପାଳ ଆନନ୍ଦୀବେନ ପଟେଲ, ସିଏମ ଯୋଗୀ ଆଦିତ୍ୟନାଥ ପ୍ରମୁଖ ଉପସ୍ଥିତ ଥିଲେ । ଏବେ ଏହି ଟ୍ରେନ ୧୭ କିମି ଯାତ୍ରାରେ ୫ଟି ଷ୍ଟେସନ ଦେଇ ଯାତ୍ରା କରିବ ।ପରେ ୮୨ କିମି କରିଡର ସମ୍ପୂର୍ଣ୍ଣ ହେବା ପରେ ଦଲ୍ଲୀରୁ ମେରଠ ଏକ ଘଣ୍ଟା କମ ସମୟରେ ଏହା ପହଞ୍ଚାଇବ ।

ଏହି ଟ୍ରେନ ଘଣ୍ଟାକୁ ୧୮୦ କିମି ବେଗରେ ଗତି କରିବା ପାଇଁ ଡିଜାଇନ କରାଯାଇଛି । ତେବେ ଏହା ରେଳ ଧାରଣା ଉପରେ ପ୍ରତି ଘଣ୍ଟାରେ ୧୬୦ କିମି ବେଗରେ ଦୌଡିବ । ୬କୋଚ ବିଶିଷ୍ଟ ଏହି ଟ୍ରେନର ଲୁକ ପୁରା ବୁଲେଟ ଟ୍ରେନ ପରି  ।