ରଣକ୍ଷେତ୍ର ପାଲଟିଲା ସୋର ବ୍ଲକ୍ ଅଫିସ୍‌

ଭୁବନେଶ୍ବର: ଆଜି ସୋର ବ୍ଲକ୍ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ ଓ ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ରଙ୍କର ଯୁଗ୍ମ ଜନଶୁଣାଣି ଶିବିରରେ ଗଣ୍ଡଗୋଳ ଘଟିଛି । ଏଥିରେ ବିଇଓଙ୍କ ସହ ଦୁଇଜଣ ଗୁରୁତର ହୋଇଛନ୍ତି । ଟେଣ୍ଟେଇ ଭିକାରୀ ଚରଣ ଉଚ୍ଚ ବିଦ୍ୟାପୀଠର ଶିକ୍ଷକ ବିଜୟ କୁମାର ବିଶ୍ୱାଳଙ୍କ ଅନ୍ୟତ୍ର ସ୍ଥାନାନ୍ତର ପ୍ରସଙ୍ଗ ନେଇ ଦୁଇଗୋଷ୍ଠୀଙ୍କ ମଧ୍ୟରେ ବିବାଦର ସୂତ୍ରପାତ ଘଟିଥିଲା । ଆହତଙ୍କ ମଧ୍ୟରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ସହ ଟେଣ୍ଟେଇ ସରପଞ୍ଚ ରହିଛନ୍ତି ।
ଶିବିରରେ ଅଭିଯୋଗ ଶୁଣାଣି ପରେ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରେୟ ଓ ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ର ଚାଲିଯାଇଥିଲେ । ଏହାପରେ ସେହି ଶିବିରରେ ଉପସ୍ଥିତ ଥିବା ଜିଲ୍ଲା ଶିକ୍ଷାଧିକାରୀ ବିଷ୍ଣୁଚରଣ ସୂତାର ଓ ସୋର ଦାୟିତ୍ୱରେ ଥିବା ବାଲିଆପାଳ ଗୋଷ୍ଠୀ ଶିକ୍ଷାଧିକାରୀ ସୁଧାଂଶୁ ଶେଖର ଜେନାଙ୍କୁ ଶିକ୍ଷକଙ୍କ ସ୍ଥାନାନ୍ତର ପ୍ରତ୍ୟାହାର ଦାବିରେ ଟେଣ୍ଟେଇ ବିଦ୍ୟାଳୟ ଆଗରେ ଧାରଣାରେ ଥିବା କିଛି ଶିକ୍ଷାର୍ଥୀ, ଅଭିଭାବକ ଓ ଗ୍ରାମବାସୀଙ୍କୁ ଭେଟି ସମସ୍ୟାର ସମାଧାନ କରିବାକୁ କୁହାଯାଇଥିଲା । ମାତ୍ର ଟେଣ୍ଟେଇ ଯିବାକୁ ଶିକ୍ଷାଧିକାରୀ ସୁଧାଂଶୁ ଶେଖର ଜେନା ଅମଙ୍ଗ ହେବାରୁ ତାଙ୍କୁ ଲୋକେ ଠେଲାପେଲା କରିଥିଲେ । ଏହି ସମୟରେ ସେ ତଳେ ପଡ଼ିଯାଇଥିବାବେଳେ ପ୍ରବଳ ମାଡ଼ମରାଯାଇଥିଲା । ଆକ୍ରମଣରେ ଗୁରୁତର ହୋଇଥିବା ଶ୍ରୀ ଜେନାଙ୍କୁ ସୋର ପୌରକାର୍ଯ୍ୟନିର୍ବାହୀ ଅଧିକାରୀ ରାକେଶ କୁମାର ପଣ୍ଡା ଉଦ୍ଧାର କରି ସୋର ଡାକ୍ତରଖାନାକୁ ନିଜ ଗାଡ଼ିରେ ନେଇ ପ୍ରାଥମିକ ଚିକିତ୍ସା କରାଇଥିଲେ । ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି । ଅନ୍ୟପକ୍ଷରେ ଟେଣ୍ଟେଇ ସରପଞ୍ଚ ଲକ୍ଷ୍ମୀକାନ୍ତ ମହାଳିକଙ୍କ ସହ ପରମାନନ୍ଦ ମହାଳିକ ମଧ୍ୟ ଗୁରୁତର ହୋଇ ସୋର ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ । ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।
ପ୍ରକାଶ ଥାଉକି ଟେଣ୍ଟେଇ ଭଜହରି ହାଇସ୍କୁଲ ଶିକ୍ଷକ ବିଜୟ କୁମାର ବିଶ୍ୱାଳଙ୍କ ବିରୁଦ୍ଧରେ ବିଦ୍ୟାଳୟ ଅର୍ଥ ହେରଫେର ନେଇ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶମୂଳେ ଔପଦା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଇନ୍‌କ୍ୱାରୀ ରିପୋର୍ଟ ଅନୁଯାୟୀ ଅନ୍ୟ ବିଦ୍ୟାଳୟକୁ ଡେପୁଟେସନ୍‌ରେ ପଠାଯାଇଥିଲା । ଏହି ଡେପୁଟେସନ୍ ବାତିଲ ଦାବିରେ ଆଜି ବିଦ୍ୟାଳୟ ଗେଟ୍‌ରେ ତାଲା ପକାଇ ଛାତ୍ରଛାତ୍ରୀ ଧାରଣାରେ ବସିଥିଲେ । ଆଜି ବ୍ଲକ୍‌ରେ ଜନଶୁଣାଣି ଥିବା ଖବର ପାଇ କିଛି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ସହ ଗ୍ରାମବାସୀ ବ୍ଲକ୍‌କୁ ଆସି ବିଇଓଙ୍କୁ ଧାରଣାସ୍ଥଳକୁ ଯିବାକୁ କହିଥିଲେ । ଏଥିରେ ସେ ଅମଙ୍ଗ ହେବାରୁ ଗଣ୍ଡଗୋଳ ହୋଇଥିଲା । ଟେଣ୍ଟେଇ ପଞ୍ଚାୟତରେ ଦୁଇ ରାଜନୈତିକ ଗୋଷ୍ଠୀ ମଧ୍ୟରେ ହେଉଥିବା ଟଣାଓଟରାରୁ ଏହି ଘଟଣାର ସୂତ୍ରପାତ ହୋଇଥିବା ଶୁଣିବାକୁ ମିଳୁଛି । ବ୍ଲକ୍ ପରିସର ରଣକ୍ଷେତ୍ର ପାଲିଟିଥିବା ବେଳେ ଏହି ପରିସରରେ ଏଡିଏମ୍ ନିଲୁ ମହାପାତ୍ରଙ୍କ ସହ ଉପଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ୱାଇଁ ଉପସ୍ଥିତ ଥିଲେ ।