ରାଞ୍ଚି: ଗାଡି ଯାଞ୍ଚ ସମୟରେ ପିକଅପ୍ ଭ୍ୟାନ୍ ଚଢାଇ ମହିଳା ଏଏସଆଇ ଙ୍କୁ ହତ୍ୟା

ଝାରଖଣ୍ଡ: ଗାଡି ଯାଞ୍ଚ ସମୟରେ ଝାରଖଣ୍ଡ ରାଜଧାନୀ ରାଞ୍ଚି ରେ ଜଣେ ମହିଳା ଇନ୍ସପେକ୍ଟର ଙ୍କୁ ଗାଡି ମାଡି ହତ୍ୟା କରାଯାଇଛି I ଏହି ଘଟଣା ରାଞ୍ଚି ଜିଲ୍ଲାର ଟୁପୁଡାନା ପୋଲିସ ଷ୍ଟେସନ ଅନ୍ତର୍ଗତ ହୁଲହୁଣ୍ଡୁ ଅଂଚଳ ରେ ଘଟିଛି । ସୂଚନା ଅନୁସାରେ , ୨୦୧୮ ବ୍ୟାଚର ପୋଲିସ ଏସଆଇ ସନ୍ଧ୍ୟା ଟୋପୋନୋ ଗାଡି ଚେକିଙ୍ଗ କରିବା ଡ୍ୟୁଟିରେ ଥିଲେ । ଏହି ସମୟରେ ଏକ ପିକଅପ୍ ଭ୍ୟାନକୁ ଅଟକିବାକୁ ଇସାରା ଦେଇଥିଲେ । କିନ୍ତୁ ପିକଅପ ଭ୍ୟାନ ଡ୍ରାଇଭର ରୋକିବା ବଦଳରେ ଗାଡି ସ୍ପିଡକୁ ଅଚାନକ ବଢାଇଦେଇଥିଲା ଓ ଏସଆଇ ସନ୍ଧ୍ୟାଙ୍କ ଉପରେ ଚଢାଇଦେଇଥିଲା । ଦୁର୍ଘଟଣା ଏତେ ଭୀଷଣ ଥିଲା ଯେ ଘଟଣାସ୍ଥଳରେ ହିଁ ଏସଆଇ ସନ୍ଧ୍ୟାଙ୍କର ମୃତ୍ୟୁ ହୋଇଛି ।
ଖବର ପାଇ ଥାନା ପ୍ରଭାରୀଙ୍କ ସମେତ ଅନ୍ୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସନ୍ଧ୍ୟାଙ୍କ ମୃତଦେହକୁ ପୋଷ୍ଟମର୍ଟମ୍ ପାଇଁ ପଠାଇଛନ୍ତି । ଏହାସହ ଅଭିଯୁକ୍ତ ଚାଳକକୁ ଖୋଜିବା ଆରମ୍ଭ କରିଛି, ଆଖାପାଖର ସମସ୍ତ ସିସିଟିଭି ଫୁଟେଜକୁ ଯାଞ୍ଚ କରାଯାଉଛି । ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରଯାଇ କଠୋର ଶାସ୍ତି ଦେବାକୁ ବିଭାଗ ପକ୍ଷରୁ ଦାବି ହୋଇଛି ।
ଏହାପୂର୍ବରୁ ମଙ୍ଗଳବାର ଦିନ ହରିୟାଣାର ନୁହଁ ରେ ଖଣି ମାଫିଆ ମାନେ ଡମ୍ପର ମଡ଼ାଇ ଡିଏସପି ସୁରେନ୍ଦ୍ର ସିଂଙ୍କୁ ହତ୍ୟା କରାଯାଇଥିଲା, ପରେ ପୋଲିସ ବିଭାଗରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏନକାଉଣ୍ଟରରେ ଜଣେ ଅଭିଯୁକ୍ତକୁ ଗିରଫ କରିଥିଲା। ଏନକାଉଣ୍ଟରରେ ଗୁଳି ଚଳାଇବା ପରେ ତାଙ୍କୁ ପୋଲିସ ହେପାଜତରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।