ମହାକାଳଙ୍କ ଦର୍ଶନ ନକରିି ଫେରିଲେ ରଣବୀର-ଆଲିୟା

ଭୋପାଳ: ଫିଲ୍ମ ବ୍ରହ୍ମାସ୍ତ୍ର ପାଇଁ ଉଜୈନର ମହାକାଳ ମନ୍ଦିରରେ ଦର୍ଶନ ଏବଂ ପୂଜା କରିବାକୁ ପହଞ୍ଚିଥିବା ବଲିଉଡ୍ ଦମ୍ପତ୍ତି ରଣବୀର କପୁର ଓ ଆଲିୟା ଭଟ୍ଟ ହିନ୍ଦୁ ସଂଗଠନଙ୍କ ବିରୋଧ ଫଳରେ ବିନା ଦର୍ଶନରେ ଫେରିଛନ୍ତି । ମଙ୍ଗଳବାର ସନ୍ଧ୍ୟାରେ ଏହି ଦମ୍ପତ୍ତି ଇନ୍ଦୋର ବିମାନବନ୍ଦରରେ ଓହ୍ଲାଇ ସିଧା ମହାକାଳଙ୍କ ଦର୍ଶନ ପାଇଁ ପହଞ୍ଚିଥିଲେ । ଦୁହେଁ ସେଠାରେ ସନ୍ଧ୍ୟା ଆରତୀରେ ସାମିଲ ହେବାର କାର୍ଯ୍ୟକ୍ରମ ଥିଲା । ମାତ୍ର ବିରୋଧ ପ୍ରଦର୍ଶନ କାରଣରୁ ଦୁହେଁ ଦର୍ଶନ କରିବା ଯୋଜନା ଟାଳି ମୁମ୍ବାଇ ପ୍ରତ୍ୟାବର୍ତ୍ତନ କରିଥିଲେ । ଚଳିତ ମାସ ୯ ତାରିଖରେ ରିଲିଜ୍ ହେବାକୁ ଥିବା ବ୍ରହ୍ମାସ୍ତ୍ର ଫିଲ୍ମର ସଫଳତା ପାଇଁ ପୂଜା କରିବାକୁ ଉଭୟ ଉଜୈନ ଆସିଥିଲେ । ଦୁହିଁଙ୍କ ଆସିବା ଖବର ପାଇଁ ବଜରଙ୍ଗ ଦଳ ଏହି ବିଶ୍ୱହିନ୍ଦୁ ପରିଷଦ କର୍ମକର୍ତ୍ତା ସେଠାରେ ପହଞ୍ଚି କଳା ପତାକା ଦେଖାଇ ବିରୋଧ ପ୍ରଦର୍ଶନ କରିବା ସହ ରଣବୀର-ଆଲିୟାଙ୍କୁ ମନ୍ଦିର ଭିତରେ ପ୍ରବେଶ କରାଇ ଦେଇନଥିଲେ । ବିରୋଧ ପ୍ରଦର୍ଶନ ସତ୍ତ୍ୱେ ଦୁହିଁଙ୍କର ଦର୍ଶନ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ସେମାନେ ମହାକାଳଙ୍କ ଦର୍ଶନ ନକରି ଫେରିଯାଇଥିଲେ ବୋଲି ସ୍ଥାନୀୟ ପୁଲିସ ପକ୍ଷରୁ କୁହାଯାଇଛି ।
ରାଜ୍ୟ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା କହିଛନ୍ତି, ‘ବିରୋଧ ପ୍ରଦର୍ଶନ ଭିନ୍ନ ବିଷୟ । ଦର୍ଶନ ପାଇଁ ପ୍ରଶାସନ ସମସ୍ତ ବ୍ୟବସ୍ଥା କରିଥିଲା । କିନ୍ତୁ ସେମାନେ ଫେରିଯାଇଥିଲେ ।’ ତେବେ ସେ କହିଥିଲେ, ‘ଫିଲ୍ମ କଳାକାର ଲୋକଙ୍କ ଭାବନାକୁ ଆଘାତ କରିବା ପରି ଶବ୍ଦର ବ୍ୟବହାର କରିବା ଉଚିତ ନୁହେଁ ।’ ବିରୋଧ କରୁଥିବା ବଜରଙ୍ଗ ଦଳ କର୍ମକର୍ତ୍ତା କହିଥିଲେ, ରଣବୀର ବିଫ୍ ଖାଆନ୍ତି ବୋଲି ନିଜେ କହିଥିଲେ ଏବଂ ସେହି କାରଣରୁ ଏହି ବିରୋଧ କରାଯାଇଛି । ଏହା ସହିତ ପ୍ରଶାସନ ପକ୍ଷରୁ ସେମାନଙ୍କ ଦର୍ଶନ ପାଇଁ କରାଯାଇଥିବା ବ୍ୟବସ୍ଥାକୁ ନେଇ ବଜରଙ୍ଗ ଦଳ ପକ୍ଷରୁ ପ୍ରଶ୍ନ ଉଠାଯାଇଥିଲା । ତେବେ ରଣବୀର ଓ ଆଲିୟା ସହିତ ଆସିଥିବା ନିର୍ଦ୍ଦେଶକ ଆୟାନ୍ ମୁଖାର୍ଜୀ ପରେ ପ୍ରଶାସନ ସହାୟତାରେ ମହାକାଳଙ୍କ ପୂଜାର୍ଚ୍ଚନା କରିଥିଲେ ।