ଭୁବନେଶ୍ବର: ଗତ ଦୁଇଦିନ ହେଲା ଛତିଶଗଡ଼ ଉପରେ ଗଭୀର ଅବପାତ ସକ୍ରିୟ ରହିଛି। ଏହା କ୍ରମଶଃ ପଶ୍ଚିମ ଦିଗକୁ ଗତି କରିବା ସହ ଆଗାମୀ ୧୨ ଘଣ୍ଟା ମଧ୍ୟରେ ଆହୁରି ଦୁର୍ବଳ ହୋଇ ସାଧାରଣ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ଭାଗରେ ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ସମ୍ଭାବ୍ୟ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, କେନ୍ଦ୍ରୀୟ ଛତିଶଗଡ଼ର ପଶ୍ଚିମ ଅଂଶ ଏବଂ ସଂଲଗ୍ନ ପୂର୍ବ ମଧ୍ୟପ୍ରଦେଶ ଉପରେ ସୃଷ୍ଟି ହୋଇଥିବା ଏହି ଗଭୀର ଅବପାତ ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ଦକ୍ଷିଣ-ପଶ୍ଚିମ ଦିଗକୁ ଗତି କରିଥିଲା। ଆଜି ସକାଳ ୮.୩୦ ସୁଦ୍ଧା ଏହା ପଶ୍ଚିମ-ମଧ୍ୟ ଛତିଶଗଡ଼, ବିଦର୍ଭ ଏବଂ ଦକ୍ଷିଣ-ପୂର୍ବ ମଧ୍ୟପ୍ରଦେଶର ସଂଲଗ୍ନ ଅଞ୍ଚଳ ଉପରେ କେନ୍ଦ୍ରୀଭୂତ ହୋଇଛି।