ଭୁବନେଶ୍ୱର: ରାଜ୍ୟରେ ବର୍ଷାର କୋପ କମିବା ସହ ବନ୍ୟା ସ୍ଥିତିରେ ସୁଧାର ଆସିଛି। ଅଧିକାଂଶ ନଦୀର ଜଳସ୍ତର ଏବେ ବିପଦସଙ୍କେତ ତଳେ ପ୍ରବାହିତ ହେଉଛି। ତେବେ ହୀରାକୁଦ ଜଳଭଣ୍ଡାରରୁ ପାଣି ଛଡ଼ାଯାଉଥିବାରୁ ମହାନଦୀର ତଳମୁଣ୍ଡରେ ଜଳପ୍ରବାହ ବୃଦ୍ଧି ପାଉଛି। ବୁଧବାର ସେଚ ସଦନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ଏହି ସୂଚନା ଦେଇଛନ୍ତି। ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ବୁଧବାର ସନ୍ଧ୍ୟା ସୁଦ୍ଧା ମୁଣ୍ଡୁଳି ନିକଟରେ ପ୍ରାୟ ୬ ଲକ୍ଷ ୫୦ ହଜାର କ୍ୟୁସେକ୍ ପାଣି ଅତିକ୍ରମ କରିବ। ଏହାଦ୍ୱାରା ତଳି ଅଞ୍ଚଳରେ ନଦୀର ଜଳସ୍ତର ବୃଦ୍ଧି ପାଇବ, କିନ୍ତୁ କୌଣସି ବଡ଼ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ନାହିଁ। ଜଳ ସମ୍ପଦ ବିଭାଗର ଆକଳନ ଅନୁଯାୟୀ, ଏହାର ପ୍ରଭାବରେ ତଳି ଅଞ୍ଚଳରେ ନଦୀ ଫୁଲିପାରେ । କିନ୍ତୁ ବର୍ତ୍ତମାନ ବନ୍ୟା ଆଶଙ୍କା ନାହିଁ। ସରକାରୀ ବୁଲେଟିନ୍ରେ ମୁଣ୍ଡୁଳିରେ ଆଜି ସକାଳ ୯ଟାର ଜଳପ୍ରବାହ ୫,୬୪,୦୮୫ କ୍ୟୁସେକ୍ ବୋଲି ଦର୍ଶାଯାଇଛି। ଅନ୍ୟପକ୍ଷରେ ବୈତରଣୀରେ ମଧ୍ୟ ସ୍ଥିତି ସୁଧୁରୁଛି। ଆଖୁଆପଦାରେ ଜଳସ୍ତର ୧୭.୮୩ ମିଟର ରହିଛି, ଯାହା ବିପଦସଙ୍କେତ ୧୮.୩୩ ମିଟରଠାରୁ ୦.୫ ମିଟର ତଳେ। ବ୍ରାହ୍ମଣୀର ଜେନାପୁରରେ ମଧ୍ୟ ଜଳସ୍ତର ବିପଦସଙ୍କେତଠାରୁ ୧.୯ ମିଟର ତଳେ ରହିଛି। ଏପର୍ଯ୍ୟନ୍ତ କୌଣସି ପ୍ରମୁଖ ନଦୀରେ ବିପଦସଙ୍କେତ ଉପରେ ଜଳସ୍ତର ନାହିଁ । ମହାନଦୀର ନରାଜରେ ମଧ୍ୟ ଜଳସ୍ତର ୨୫.୦୨ ମିଟର ରହିଛି, ଯାହା ବିପଦସଙ୍କେତ ୨୬.୪୧ ମିଟରଠାରୁ ତଳେ। ରହିଛି ।