୨୩ରୁ ୨୬ ଯାଏ ରାଜ୍ୟରେ ବର୍ଷା

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ସିତ୍ରାଙ୍ଗ’ ଯୋଗୁ ଆସନ୍ତା ୨୩ ରାତିରୁ ରାଜ୍ୟରେ ବର୍ଷା ଆରମ୍ଭ ହେବ ବୋଲି ଶୁକ୍ରବାର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ଏଚ ଆର ବିଶ୍ୱାସ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଓଡ଼ିଶା ଉପରେ ବାତ୍ୟାର ସିଧାସଳଖ ପ୍ରଭାବ ପଡ଼ିବ ନାହିଁ । ତେବେ ୨୩ରୁ ୨୪ ସକାଳ ସାଢ଼େ ୮ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହେବ । ବିଶେଷକରି ଭଦ୍ରକ, କେନ୍ଦ୍ରାପଡା, ଜଗତସିଂପୁର ଏବଂ ପୁରୀରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲାରେ ବର୍ଷାର ପରିମାଣ ୭ରୁ ୧୧ ସିମି ମଧ୍ୟରେ ରହିବ । ଏନେଇ ସମ୍ପୃକ୍ତ ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୨୪ ସକାଳ ୮ଟା ୩୦ରୁ ୨୫ ସକାଳ ୮ଟା ୩୦ ମଧ୍ୟରେ ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରପଳ ବର୍ଷା ହେବାର ସମ୍ଭାବନା ରହିଛି । ଏଠାରେ ସର୍ବାଧିକ ୭ରୁ ୨୦ସିମି ବର୍ଷା ହେବାର ସମ୍ଭାବନା ରହିଛି । ସେହି ଜିଲ୍ଲାଗୁଡିକ ହେଉଛି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, କଟକ, ଜଗତସିଂପୁର । ଏହି ଜିଲ୍ଲା ଲାଗି ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସମାନ ସମୟରେ ମଧ୍ୟ କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ଜିଲ୍ଲା ଲାଗି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୨୫ ତାରିଖ ରାତିରୁ ୨୬ତାରିଖ ପର୍ଯ୍ୟନ୍ତ ମୟୁରଭଞ୍ଜ, ବାଲେଶ୍ୱର ଏବଂ ଭଦ୍ରକରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସମାନ ସମୟ ମଧ୍ୟରେ ମଧ୍ୟ ରାଜ୍ୟର ଅନ୍ୟ କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା କରାଯାଉଛି ବୋଲି ଶ୍ରୀ ବିଶ୍ୱାସ ସୂଚନା ଦେଇଛନ୍ତି । ଅନ୍ୟପଟେ ଆଜିଠାରୁ ରାଜ୍ୟରୁ ମୌସୁମୀ ଫେରିଗଲା ବୋଲି ଶ୍ରୀ ବିଶ୍ୱାସ କହିଛନ୍ତି । ଆକଳନ କରାଯାଉଥିଲା ଯେ ପାଗ ଶୁଖିଲା ହେଲେ ମୌସୁମୀ ଅପସାରଣ ଲାଗି ବେଶ ସହାୟକ ହେବ । ତେବେ ରାଜ୍ୟରେ ବର୍ଷା କମିବା ପରେ ଆଜି ଠାରୁ ସମ୍ପୂର୍ଣ୍ଣ ବିଦାୟ ନେଇଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଗତ ଜୁନ ୧୬ତାରିଖରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁଥିଲା । ସେହିପରି ସମ୍ଭାବ୍ୟ ବାତ୍ୟାକୁ ନେଇ ଭୟଭୀତ ହେବାର କାରଣ ନାହିଁ । ଏହା ଓଡ଼ିଶା ଛୁଇଁବ ନାହିଁ । ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ବାତ୍ୟା ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି । ୮ଟି ଜିଲ୍ଲାର ପ୍ରଶାସନ ସଚେତନ ଅଛି । ଜିଲ୍ଲାପାଳ ଓ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହିତ ଆଲୋଚନା ହୋଇଛି । ଦମକଳ ବାହିନୀ, ଓଡ୍ରାଫ, ଏନ୍‌ଡିଆରଏଫ୍‌, ତଟରକ୍ଷୀ ବାହିନୀ ଓ ନେଭି ପ୍ରସ୍ତୁତ ଅଛନ୍ତି । ସରକାର ସତର୍କତା ମୂଳକ ପଦକ୍ଷେପ ନେଇଛନ୍ତି । ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଉପକୂଳ ନଛୁଇଁଲେ ମଧ୍ୟ ଜିଲ୍ଲାପାଳମାନଙ୍କୁ ନିଜ ନିଜ ସ୍ତରରେ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ୨୨ତାରିଖ ସକାଳ ସୁଦ୍ଧା କୂଳକୁ ଫେରି ଆସିବାକୁ ପରାମର୍ଶ ଦିଆଯାଇଛି ଓ ୨୬ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ନଯିବାକୁ କୁହାଯାଇଛି । ଏହାବ୍ୟତୀତ ଶ୍ରୀ ଜେନା ବଜାରରେ ଅଯଥା ଭିଡ଼ ନକରିବାକୁ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି । ସମ୍ଭାବ୍ୟ ବାତ୍ୟା ଓଡ଼ିଶାରେ ପ୍ରବେଶ କରୁନଥିବାରୁ ଦୋକାନବଜାର ସ୍ୱାଭାବିକ ଖୋଲା ରହିବ । ତେଣୁ ବାତ୍ୟାକୁ ନେଇ ଅଯଥା ଦୋକାନବଜାର ଭିଡ଼ ନକରିବା ଓ ଆତଙ୍କିତ ନହେବାକୁ ସେ ପରାମର୍ଶ ଦେଇଛନ୍ତି ।