ବସନ୍ତରେ ବର୍ଷା,ସାରା ରାଜ୍ୟରେ ଅବସ୍ଥା ବେହାଲ

ବସନ୍ତରେ ବର୍ଷା,ସାରା ରାଜ୍ୟରେ ଅବସ୍ଥା ବେହାଲ

ଭୁବନେଶ୍ୱର : ରାଜ୍ୟରେ ବଦଳିଛି ପାଣିପାଗ I ଧୁ-ଧୁ ଖରାର ପ୍ରକୋପ ନଥିବାବେଳେ,ଥଣ୍ଡା ପବନରେ ଦେହ ହାତ କାଲୁଆ ମାରୁଛି I ବସନ୍ତରେ ବର୍ଷା ଋତୁର ଅନୁଭୂତି ଆଣିଦେଇଛି I ଝାଡ଼ଖଣ୍ଡ, ଓଡ଼ିଶା ଏବଂ ଆନ୍ଧ୍ର ଉପକୂଳ ଦେଇ ଏକ ଟ୍ରପ୍‌ ଲାଇନ୍‌ ସୃଷ୍ଟି ହେବା କାରଣରୁ ଏହାର ପ୍ରଭାବରେ ଚଳିତ ସପ୍ତାହ ଆରମ୍ଭରୁ ସାରା ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ପ୍ରବଳ କାଳବୈଶାଖୀ ବର୍ଷା ହେଉଛି I ସେହିପରି ମଙ୍ଗଳବାର ମଧ୍ୟାହ୍ନରୁ ଦ୍ବୈତ ନଗରୀ କଟକ ଓ ଭୁବନେଶ୍ୱରରେ ଘଡଘଡି ସହ ପ୍ରବଳ ବର୍ଷା ଜାରି ରହିଛି। ଏହାଦ୍ବାରା ଜନଜୀବନ ପ୍ରଭାବିତ ହୋଇଛି। କଟକ ସହରର ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇଛି। ଏଣେ ପଶ୍ଚିମ ଓଡ଼ିଶାରେ ୩ ଘଣ୍ଟା ହେଲା ଘନଘନ ବିଜୁଳି ଜାରି ରହିଛି।

ସୋମବାର ରାତିରେ ଜୋର୍‌ରେ ପବନ ହେବା ସହ ମଙ୍ଗଳବାର ସକାଳୁ ପାଗ ମେଘୁଆ ଥିଲା। ତେବେ ଅପରାହ୍ନ ପ୍ରାୟ ୧ଟା ବେଳକୁ କଳାହାଣ୍ଡିଆ ମେଘ ଘୋଟି ଆସିବା ସହ ବର୍ଷା ହୋଇଥିଲା। ଫଳରେ ସହରବାସୀଙ୍କୁ ତାତିରୁ କିଛି ମାତ୍ରାରେ ଆଶ୍ୱସ୍ତି ମିଳିଛି। କେହି ଛତା ଧରି ବର୍ଷାରେ ଭିଜି ଆନନ୍ଦ ନେଇଥିଲେ ତ ଆଉ କିଏ ବର୍ଷାରୁ ରକ୍ଷା ପାଇବା ପାଇଁ ମୁଣ୍ଡରେ ଜରି, ପଲିଥିନ୍‌ ବାନ୍ଧି ଯାଉଥିବା ଦେଖିବାକୁ ମିଳିଥିଲା। ସେହିପରି ଓଭରବ୍ରିଜ୍‌ ତଳେ, ମୋ ବସ୍‌ ଷ୍ଟପ୍‌ଗୁଡିକରେ ମଧ୍ୟ ଲୋକେ ଆଶ୍ରୟ ନେଇଥିଲେ। ଦିନତମାମ ପାଗ ମେଘୁଆ ଥିବାବେଳେ ଝିପିଝିପି ବର୍ଷା ସାଙ୍ଗକୁ ବିଜୁଳି ଓ ଘଡ଼ଘଡ଼ି ମାରିଥିଲା। ବର୍ଷା ବେଳେ ଯିଏ ଯେଉଁଠି ଆଶ୍ରୟ ନେଇଥିଲେ। ବର୍ଷା ଛାଡିବା ପରେ ଗନ୍ତବ୍ୟସ୍ଥଳରେ ପହଞ୍ଚତ୍ବା ପାଇଁ ବ୍ୟଗ୍ରତା ଦେଖାଦେଇଥିଲା। ଫଳରେ ଟ୍ରାଫିକ ଜାମ୍‌ ହୋଇପଡ଼ିଥିଲା।

ଆଜି ବର୍ଷା ପାଇଁ ୧୦ ଜିଲ୍ଲାକୁ ୟେଲୋ ଓ ୧୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ବର୍ଷା ପରିମାଣ ୨୦୦ ମିଲିମିଟର ପର୍ଯ୍ୟନ୍ତ ରହିପାରେ। କିଛି ଜିଲ୍ଲାରେ ୩୦ରୁ ୫୫ କିଲୋମିଟର ବେଗରେ ପବନ ବହିପାରେ। ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାରେ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି। କାଳବୈଶାଖୀ ପାଇଁ ସତର୍କ ରହିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ।

ଗତ୨ ଦିନ ମଧ୍ୟରେ ତାତି ଓ ଗୁଳୁଗୁଳିରୁ ସାମୟିକ ଆଶ୍ୱସ୍ତି ମିଳିଥିଲେ ମଧ୍ୟ ବର୍ଷାର ପ୍ରଭାବ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ଗତ ୩୬ ଘଣ୍ଟାରେ ଯାଜପୁରରେ ସର୍ବାଧିକ ୬୬ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ହୀରାକୁଦରେ ୩୦ ମିମି, ଦାରିଙ୍ଗବାଡ଼ି ୨୬, ଝାରସୁଗୁଡ଼ାରେ ୨୪, ଢେଙ୍କାନାଳରେ ୨୧, ସମ୍ବଲପୁର ଓ ସୁନ୍ଦରଗଡ଼ରେ ୧୭, ତାଳଚେର ୧୫, ଦେବଗଡ଼ ୧୪ ଓ ଅନୁଗୁଳରେ ୧୦ ମିମି ବର୍ଷା ରେକର୍ଡ କରାଯାଇଛି। ଏହାବ୍ୟତୀତ ଅନ୍ୟ ଅଞ୍ଚଳଗୁଡ଼ିକରେ ମଧ୍ୟ ବର୍ଷାର ପରିମାଣ ୧-୧୦ ମିମି ମଧ୍ୟରେ ରେକର୍ଡ କାରଯାଇଛି।

ପାଣିପାଗ ବିଶେଷଜ୍ଞଙ୍କ ସୂଚନା ଅନୁଯାୟୀ, ଆସନ୍ତାକାଲିଠାରୁ ବର୍ଷାର ମାତ୍ରା କମିବ। ଏହାପରେ ତାପମାତ୍ରା ବଢ଼ିବ।