ରାଜନୀତି ଛାଡି ଷ୍ଟେସନ କୁଲି ହେଲେ ରାହୁଲ !

ନୂଆଦିଲ୍ଲୀ: ରାହୁଲଙ୍କ କୁଲି ଅବତାର । ରେଲୱେ ଷ୍ଟେସନରେ ଏକ ଭିନ୍ନ ଅନ୍ଦାଜରେ ରାହୁଲ ଗାନ୍ଧୀ । ଦେହରେ କୁଲି ୟୁନିଫର୍ମ..ମୁଣ୍ଡରେ ବୋଝ.. । କ୍ଷମତା ପାଇଁ ସତରେ କ’ଣ କରିବାକୁ ନ ପଡେ ! ଆଜି ସକାଳୁ ସକାଳୁ ନୂଆଦିଲ୍ଲୀର ଆନନ୍ଦ ବିହାର ରେଲୱେ ଷ୍ଟେସନରେ ଏମିତି ଅବସ୍ଥାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଦେଖିବାକୁ ମିଳିଥିଲା ।

ଆଜିକାଲି ରାହୁଲ ଗାନ୍ଧୀ ସାଧାରଣ ଲୋକଙ୍କ ସହ କିଛି କିଛି ସମୟ ବିତାଉଛନ୍ତି ଏବଂ ତାହାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ସେୟାର କରୁଛନ୍ତି । ଏହି କ୍ରମରେ ଆଜି ଅର୍ଥାତ ସେପ୍ଟେମ୍ବର ୨୧ ତାରିଖ ସକାଳୁ ରାହୁଲ ଆନନ୍ଦ ବିହାର ରେଲୱେ ଷ୍ଟେସନରେ ପହଞ୍ଚିଥିଲେ । ସେଠାରେ ଥିବା କୁଲିମାନଙ୍କୁ ସାକ୍ଷାତ କରିଥିଲେ । ଏହି ଅବସରରେ ରାହୁଲ କୁଲିଙ୍କ ପୋଷାକ ଅର୍ଥାତ ଲାଲ ରଙ୍ଗର ସର୍ଟ ପିନ୍ଧିଥିଲେ । ଶେଷରେ ମୁଣ୍ଡ ଉପରେ ସୁଟକେଶ ରଖି ଚାଲୁଥିବା ଦେଖିବାକୁ ମିଳିଥିଲା । ଏଥିସହତ କୁଲିମାନଙ୍କ ସହ ବସି ସେମାନଙ୍କ କଥା ବି ଶୁଣିଥିଲେ ।

ଏହାର ଫଟୋ ନିଜେ ରାହୁଲ ଇନଷ୍ଟାରେ ସେୟାର କରିଛନ୍ତି । କ୍ୟାପ୍ସନରେ ଲେଖିଛନ୍ତି, ‘ବହୁତ ଦିନ ଧରି ମୋ ମନରେ ଇଚ୍ଛା ଥିଲା ଏବଂ ସେମାନେ ମଧ୍ୟ ମୋତେ ଖୁବ ସ୍ନେହରେ ଡାକୁଥିଲେ । ଭାରତର ପରିଶ୍ରମୀ ଭାଇମାନଙ୍କ ଇଚ୍ଛା ଯେମିତି ବି ହେଉ ପୂରା ହେବା ଦରକାର  ।’

ଏହି ଫଟୋକୁ ୟୁଥ କଂଗ୍ରେସ ବି ଟୁଇଟ କରିଛି  ଏବଂ କହିଛି, ‘ସାରା ଦୁନିଆର ବୋଝ ନିଜ ମୁଣ୍ଡ ଉପରେ ଉଠାଉଥିବା ବ୍ୟକ୍ତିଙ୍କ ହୃଦୟର ବୋଝକୁ ହାଲକା କରିବା ପାଇଁ ରାହୁଲ ଗାନ୍ଧୀ ଆନନ୍ଦ ବିହାର ରେଲୱେ ଷ୍ଟେସନ ପହଞ୍ଚିଥିଲେ ।’

ଫଟୋରେ ଏକଥା ମଧ୍ୟ ଦେଖିବାକି ମିଳିଛି, ରାହୁଲ ଗାନ୍ଧୀଙ୍କ ହାତରେ କୁଲିର ବ୍ୟାଚ ମଧ୍ୟ ବାନ୍ଧିଥିଲେ ।