ପୁରୀ: ନୂଆ ବର୍ଷରେ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ମହାପ୍ରଭୁଙ୍କ ଦର୍ଶନ ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ସ୍ୱତନ୍ତ୍ର ଧାଡ଼ି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଯୋଜନା କରାଯାଇଛି। ଏହି ନୂତନ ବ୍ୟବସ୍ଥା ଫଳରେ ପ୍ରତି ଘଣ୍ଟାରେ ପ୍ରାୟ ୧୦ ହଜାର ଶ୍ରଦ୍ଧାଳୁ ସୁବିଧାରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ପ୍ରସ୍ତାବିତ ଯୋଜନା ମୁତାବକ, ସାତପାହାଚ ଅତିକ୍ରମ କରିବା ପରେ ଗରୁଡ଼ ସ୍ତମ୍ଭରୁ ବାହାର କାଠ ପର୍ଯ୍ୟନ୍ତ ଏହି ସ୍ୱତନ୍ତ୍ର ଧାଡ଼ି ଦର୍ଶନର ବ୍ୟବସ୍ଥା କରାଯିବ। ତେବେ ଏହାକୁ ଆନୁଷ୍ଠାନିକ ଭାବେ କାର୍ଯ୍ୟକାରୀ କରିବା ପୂର୍ବରୁ ଛତିଶା ନିଯୋଗ ଏବଂ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ ସ୍ଥାନ ପରିଦର୍ଶନ କରି ପ୍ରସ୍ତାବିତ ବ୍ୟବସ୍ଥାର ଅନୁଧ୍ୟାନ କରିବେ। ସେମାନଙ୍କ ଗ୍ରହଣଯୋଗ୍ୟ ମତାମତ ଓ ସୁପାରିସ ଭିତ୍ତିରେ ହିଁ ଏହି ନୂଆ ଦର୍ଶନ ପ୍ରଣାଳୀ ଆରମ୍ଭ କରାଯିବ। ଏହି ବ୍ୟବସ୍ଥା ଲାଗୁ ହେବା ଦ୍ୱାରା ଶ୍ରୀମନ୍ଦିରରେ ଭକ୍ତଙ୍କ ଗହଳି ନିୟନ୍ତ୍ରିତ ହେବା ସହ ଦର୍ଶନ ପ୍ରକ୍ରିୟା ଆହୁରି ଅଧିକ ଶୃଙ୍ଖଳିତ, ସୁବ୍ୟବସ୍ଥିତ ଓ ସହଜସାଧ୍ୟ ହୋଇପାରିବ।