ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା

ଆସନ୍ତା ଜୁଲାଇ ୧ ରେ ଅନୁଷ୍ଠିତ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥ ଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରା Iକୋଭିଡ କଟକଣା ଯୋଗୁଁ ଦୀର୍ଘ ଦୁଇ ବର୍ଷ ନିମନ୍ତେ ଭକ୍ତ ମାନଙ୍କ ପାଇଁ ବଡ଼ ଦାଣ୍ଡ ବାରଣ କରାଯାଇଥିଲା । ତେଣୁ ଏ ବର୍ଷ ରଥ ଯାତ୍ରାରେ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼ ହେବ ବୋଲି ଅନୁମାନ କରାଯାଉଛି । ତI ପୂର୍ବରୁ ରଥ ପ୍ରସ୍ତୁତ କରିବାକୁ ଲାଗିପଡିଛନ୍ତି ବିଶ୍ୱକର୍ମା, କରତୀ, ଓଝା ଓ ଭୋଇ ସେବକ ମାନେ । ରଥ ଖଳାରେ ବିଶ୍ୱକର୍ମାମାନେ ତୁମ୍ବ ତିଆରିରେ ଲାଗିଛନ୍ତି । ତୁମ୍ବରେ ବିନ୍ଧ ଖୋଦେଇ ଚାଲିଛି । ତାଳଧ୍ୱଜର ୩ଟି ତୁମ୍ବରେ ବିନ୍ଧ ସରି ବାକି ୧୧ଟିରେ ବିନ୍ଧ ଖୋଦେଇ ହେଉଛି । ଦେବଦଳନର ୩ଟି ତୁମ୍ବରେ ବିନ୍ଧ କାମ ପରେ ୯ଟିର ଖୋଦେଇ ଚାଲିଛି । ସେହିଭଳି ନନ୍ଦିଘୋଷର ୬ଟି ତୁମ୍ବରେ ବିନ୍ଧ ଶେଷ ହୋଇ ୯ଟିରେ ଖୋଦେଇ ଚାଲିଛି ।


ସେହିପରି କମାର(ଓଝା) ସେବକମାନେ ଦୋଳବେଦି ପରିସରରେ ରଥ ପାଇଁ ଲୋଡ଼ା ଲୁହା ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି । ବୁଧବାର ପନ୍ଦାରି ତିଆରି ଆରମ୍ଭ ହୋଇଛି । ଏବେ ଶାଳରେ ପଡ଼ିଛି ପନ୍ଦାରି । ଏହାକୁ ପୋଡ଼ିଲା ପରେ ମଳି ଛଡ଼ା ଯାଇ ମଠା(ସାଇଜ୍‌) ହେବ । ତୁମ୍ବଗୁଡ଼ିକର ଭିତର ପାଶ୍ୱର୍ରେ ଲାଗିବ ପନ୍ଦାରି । ତାହାକୁ ମଜଭୁତ କରିବାକୁ ଚାବି ତିଆରି ହୋଇ ପନ୍ଦାରିରେ ପଡ଼ିବ ।
ଗୋଟିଏ ତୁମ୍ବରେ ଲାଗିବ ୨ଟି ଲେଖାଏଁ ପନ୍ଦାରି ଓ ବଳା । ତିନି ରଥର ୪୨ ଚକ ପାଇଁ ଆବଶ୍ୟକ ୮୪ଟି ପନ୍ଦାରି, ୮୪ଟି ବଳା । ସେଗୁଡିକର ଆକାର ଭିନ୍ନ ଭିନ୍ନ । ତୁମ୍ବର ବାହାର ପାଶ୍ୱର୍ରେ ଲାଗିବ ବଳା । ତୁମ୍ବରେ ଅଖ ଭୁଞ୍ଜାଯିବ । ଠାକୁରଙ୍କ ରଥ ଅଖର ଆକାର ବଡ଼ରୁ ସାନ ହୁଏ । ସେହି ଅନୁସାରେ ବଡ଼ସାନ ହୋଇ ତିଆରି ହୁଏ ପନ୍ଦାରି ଓ ବଳା । ସେଥିରେ ୪ଟି ଚାବି ଲାଗି ତୁମ୍ବକୁ ମଜଭୁତ କରାଯିବ । ଯେପରି ରଥ ଗଡ଼ିଲାବେଳେ ତୁମ୍ବରୁ ଅଖ ଖସି ନଯାଏ ।ବୁଧବାର ରଥ ନିର୍ମାଣ କାର୍ଯ୍ୟରେ ୧୨୯ ଜଣ ନିୟୋଜିତ ହୋଇଥିବା ସୂଚନା ରହିଛି ।