ପୁରୀ: ପୁରୀ ମହାନଗର ନିଗମ ପ୍ରକ୍ରିୟା ପାଇଁ ସୀମାନ୍ତ ୯ ପଞ୍ଚାୟତର ୩୪ ରାଜସ୍ବ ଗ୍ରାମ ସାମିଲ ହେବା ପରେ ୱାର୍ଡ ବିଭାଜନ ଓ ସୀମା ନିର୍ଦ୍ଧାରଣ କରାଯାଇଛି। ଜିଲ୍ଲା ପ୍ରଶାସନ ଏହାର ତଥ୍ୟ ସରକାରଙ୍କୁ ପଠାଇଛନ୍ତି । ପୁରୀର କେତେକ ୱାର୍ଡରେ ଲୋକସଂଖ୍ୟା ବୃଦ୍ଧି ପାଇଥିବାରୁ ସେ ସବୁ ୱାର୍ଡ ମଧ୍ୟ ବିଭାଜନ ହୋଇଛି । ଏଥିପାଇଁ ପୌରସଂସ୍ଥା ଓ ଜିଲ୍ଲା ପ୍ରଶାସନ କସରତ ଆରମ୍ଭ କରିଛନ୍ତି । ବର୍ତ୍ତମାନ ପୁରୀରେ ୩୨ଟି ୱାର୍ଡ ରହିଛି । ଏସବୁର ପୁଣି ଥରେ ସୀମା ନିର୍ଦ୍ଧାରଣ କରାଯିବ। ପୌରାଞ୍ଚଳରେ ଥିବା ୩୨ୱାର୍ଡ ମଧ୍ୟରୁ ଅଧିକାଂଶ ୱାର୍ଡରେ ଜନସଂଖ୍ୟା ଆଶାତୀତ ଭାବରେ ବୃଦ୍ଧି ପାଇଛି । ସେଥି ମଧ୍ୟରୁ ଅତି କମ୍ରେ ୨୦ଟି ୱାର୍ଡକୁ ବିଭାଜନ କରାଯିବ । ସେହିଭଳି ସଦରରେ ମିଶିବାକୁ ଯାଉଥିବା ୯୨ଟି ୱାର୍ଡର ସୀମା ନିର୍ଦ୍ଧାରଣ କରାଯାଇଛି। ଏଥିରେ ମଧ୍ୟ ଅଡ଼ୁଆ ରହିଛି। ଗୋଟିଏ ୱାର୍ଡର କିଛି ମଙ୍ଗଳା ନଦୀର ଆରପଟେ ରହିଥିବା ବେଳେ କିଛି ଗାଁ ରାଜପଥ ଅପରପାର୍ଶ୍ବରେ ରହିଛି। ତେଣୁ ସେଗୁଡ଼ିକର ଆଉଥରେ ପୁଣି ପୁନଃନିର୍ଦ୍ଧାରଣ କରାଯାଇ ପାରେ । ଓଡିଶା ମହାନଗର ନିଗମ ଆଇନର ଧାରା ୬୦, ୬ଓ ୭ ଅନୁଯାୟୀ ନିର୍ବାଚନ ପୂର୍ବରୁ ୱାର୍ଡ ସଂରକ୍ଷଣ ତାଲିକା ପ୍ରସ୍ତୁତ ସହ ୱାର୍ଡ ସୀମା ନିର୍ଧାରଣ କରାଯିବାର ପକ୍ରିୟା ରହିଛି। ଏ ସମସ୍ତ କାର୍ଯ୍ୟ ଶୀଘ୍ର ସାରିବାକୁ ବିଭାଗୀୟ ନିର୍ଦେଶ ରହିଛି। ପ୍ରକ୍ରିୟା ଶେଷ ହେବା ପରେ ରାଜ୍ୟ ନିର୍ବାଚନ କମିସନ ମହାନଗର ନିଗମ ନିର୍ବାଚନ ପାଇଁ ତାରିଖ ଘୋଷଣା କରିବେ ।