ଭ୍ରଷ୍ଟାଚାର ଅଭିଯୋଗରେ ପଞ୍ଜାବ ସରକାର ଭଗୱନ୍ତ ମାନ ନେଇଛନ୍ତି ବଡ଼ ପଦକ୍ଷେପ I ସ୍ୱାସ୍ଥ୍ୟ ମନ୍ତ୍ରୀ ବିଜୟ ସିଙ୍ଗଲା ଙ୍କୁ । ପଞ୍ଜାବ ପୋଲିସର ଦୁର୍ନୀତି ନିବାରଣ ଶାଖା ଗିରଫ କରିଛି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂ ମାନ ସ୍ୱାସ୍ଥ୍ୟ ମନ୍ତ୍ରୀ ବିଜୟ ସିଙ୍ଗଲାଙ୍କୁ ଦୁର୍ନୀତି ଅଭିଯୋଗରେ ନିଜ ମନ୍ତ୍ରିମଣ୍ଡଳରୁ ବିଦା କରିଥିଲେ। ବିଜୟ ସିଙ୍ଗଲା ଦୁର୍ନୀତିରେ ସମ୍ପୃକ୍ତ ଥିବା ନେଇ ପ୍ରମାଣ ପାଇବା ପରେ ଏପରି ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମାନ୍। ଏଥିସହ ବିଜୟ ସିଙ୍ଗଲାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ମୁଖ୍ୟମନ୍ତ୍ରୀ ମାନ୍ ପଞ୍ଜାବ ପୁଲିସକୁ ନିର୍ଦେଶ ଦେଇଛନ୍ତି।
ସୂଚନା ମୁତାବକ, ସିଙ୍ଗଲା ଚୁକ୍ତିନାମା ପାଇଁ ଅଧିକାରୀଙ୍କଠାରୁ ୧% କମିଶନ ଦାବି କରିଥିଲେ। ଏହି ଅଭିଯୋଗ ଉପରେ ଠୋସ୍ ପ୍ରମାଣ ମିଳିବା ପରେ ମୁଖ୍ୟମନ୍ତ୍ରୀ ମାନ୍ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବାହାର କରିଦେଇଛନ୍ତି। ମାନ୍ କହିଛନ୍ତି, ତାଙ୍କ ବିରୋଧରେ ହୋଇଥିବା ଦୁର୍ନୀତି ଅଭିଯୋଗକୁ ବିଜୟ ସିଙ୍ଗଲା ସ୍ୱୀକାର କରିଛନ୍ତି। ଦ୍ବିତୀୟ ଥର ପାଇଁ ଆମ୍ ଆଦମୀ ପାର୍ଟି ଏଭଳି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହା ପୂର୍ବରୁ ୨୦୧୫ ରେ ଅରବିନ୍ଦ କେଜ୍ରିୱାଲ ତାଙ୍କ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ବହିଷ୍କୃତ କରିଥିଲେ। ଏପରିକି ସେ ମାମଲାକୁ ସିବିଆଇକୁ ହସ୍ତନ୍ତର କରିଥିଲେ। ଏ ସମ୍ପର୍କରେ ସିଏମ ଭଗୱନ୍ତ ମାନ ଏକ ଭିଡିଓ ସେୟାର କରି କହିଥିଲେ- ‘ଆମେ ଗୋଟିଏ ପଇସାର ଦୁର୍ନୀତିକୁ ବରଦାସ୍ତ କରିବୁ ନାହିଁ। ଆମ ଦଳ ଭ୍ରଷ୍ଟାଚାର ବିରୋଧରେ ଆନ୍ଦୋଳନ କରିଛି। ନିଜ ମନ୍ତ୍ରିମଣ୍ଡଳରେ ଜଣେ ମନ୍ତ୍ରୀ ଅଧିକାରୀଙ୍କ ଠାରୁ କମିଶନ ନେଉଥିବା ଜାଣିବାକୁ ପାଇଛି। ତାଙ୍କୁ କ୍ୟାବିନେଟରୁ ବହିଷ୍କାର କରୁଛି ଏବଂ ମାମଲାର ପୋଲିସ ତଦନ୍ତ ପାଇଁ ଦାବି କରୁଛି’।