ପୁରୀ: ବାରମ୍ବାର ଅଦିନରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା, ରଥଯାତ୍ରା ଆୟୋଜନ କରିବା ଏବଂ ଗଜପତି ମହାରାଜାଙ୍କ ଅନୁରୋଧ କୁ ବେଖାତିର କରିବା ଏଣିକି ମହାଙ୍ଗା ପଡିଛି ଇସ୍କନ କୁ। ମହାପ୍ରଭୁଙ୍କୁ ନେଇ ଏଭଳି ମନମାନି କୁ ନେଇ କୋଟି କୋଟି ଜଗନ୍ନାଥ ଭକ୍ତ ଙ୍କ ମନରେ କୁହୁଳୁଥିବା ଅସନ୍ତୋଷ ଆନ୍ଦୋଳନର ରୂପ ନେଇଛି। ଯାହାର ପ୍ରତିଫଳନ ରବିବାର ଦେଖିବାକୁ ମିଳିଛି ଶରଧାବାଲିରେ। ଶରଧାବାଲିରୁ ଆରମ୍ଭ ହୋଇଛି ଇସ୍କନ ହଟାଓ ଅଭିଯାନ। ବିବରଣୀ ଅନୁସାରେ ପ୍ରତ୍ୟେକ ବର୍ଷ ରଥଯାତ୍ରାରେ ଇସ୍କନ ତରଫରୁ ଷ୍ଟଲ୍ କରାଯାଇ ଶ୍ରୀକୃଷ୍ଣ ଙ୍କ ଉପରେ ଆଧାରିତ ବିଭିନ୍ନ ବହି ଏବଂ ଅନ୍ୟାନ୍ୟ ସମଗ୍ରୀ ବିକ୍ରି କରାଯାଇଥାଏ। ତେଣୁ ଚଳିତ ବର୍ଷ ରଥଯାତ୍ରାରେ ବି ସେମିତି ଷ୍ଟଲ୍ କରିବା ପାଇଁ ଶରଧାବାଲି ରେ ଇସ୍କନ ତରଫରୁ ଷ୍ଟଲ୍ ନିର୍ମାଣ କାମ ଚାଲିଥିଲା। ଏହି ଖବର ପ୍ରଚାରିତ ହେବା ମାତ୍ରେ ଶତାଧିକ ସାଧାରଣ ଜନତା, ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ଜଗନ୍ନାଥ ଭକ୍ତ ଶରଧାବାଲି କୁ ମାଡି ଆସିଥିଲେ। “ଗୋ ବ୍ୟାକ୍ ଇସ୍କନ” ନାରା ଦେଇ ସେଠାରୁ ଇସ୍କନ ଷ୍ଟଲ୍ କୁ ହଟାଇ ଦେଇଥିଲେ। ଜଗନ୍ନାଥ ଧର୍ମ ପ୍ରଚାର ନାମରେ ଜଗନ୍ନାଥ ସଂସ୍କୃତି କୁ ବିକୃତ କରୁଥିବା ଇସ୍କନ କୁ ଜଗନ୍ନାଥ ଧାମ ରେ କୀର୍ତ୍ତନ କରିବାକୁ ଦିଆ ଯିବନି କି ଏଠାରେ ବେପାର କରିବାକୁ ଦିଆଯିବନି ବୋଲି ଜଗନ୍ନାଥ ଭକ୍ତ ମାନେ ପ୍ରକାଶ କରିଛନ୍ତି।