ଚୀନରେ ବିକ୍ଷୋଭ : ରାଷ୍ଟ୍ରପତି ଜିନପିଙ୍ଗଙ୍କ ଇସ୍ତଫା ଦାବି କରି ରାସ୍ତାକୁ ଓହ୍ଳାଇଲେ ଲୋକେ

ବେଜିଂ : ଚୀନରେ ଜିରୋ କୋଭିଡ୍ ନୀତି ବିରୋଧରେ ଲୋକଙ୍କ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି । ହଜାର ହଜାର ଲୋକେ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ କରୁଛନ୍ତି। ସାଙ୍ଘାଇରୁ ଆରମ୍ଭ ହୋଇ ୧୩ ଟି ସହରରେ ଏହି ଗଣବିକ୍ଷୋଭ ବ୍ୟାପକ ହେବାରେ ଲାଗିଛି। ଲୋକେ ଜୋରଦାର ବିରୋଧ କରିବା ସହ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଇସ୍ତଫା ଦାବି କରିଛନ୍ତି। ଏଥିସହ ଲକଡାଉନ୍ ହଟାଇବାକୁ ମଧ୍ୟ ଦାବି ଜୋର୍ ଧରିଛି।

ଚୀନରେ ଲଗାତାର ୪ ଦିନ ହେବ କରୋନା ସଂକ୍ରମଣ ରେକର୍ଡ ମାତ୍ରାରେ ବଢିବାକୁ ଲାଗିଛି। ସଂକ୍ରମଣ ରୋକିବାକୁ ଚୀନ ସରକାର ଜିରୋ କୋଭିଡ ନୀତି ଆପଣାଇଥିବା ବେଳେ ଏହାକୁ ବିରୋଧ କରିଛନ୍ତି ଜନସାଧାରଣ। ଦେଶବ୍ୟାପୀ ବିକ୍ଷୋଭ ଜାରି ରହିଥିବା ବେଳେ ବିକ୍ଷୋଭକାରୀମାନେ ଜିନପିଙ୍ଗଙ୍କ ବିରୋଧରେ ନାରାବାଜି କରିଛନ୍ତି। କୋଭିଡ୍ ନିୟମକୁ ତୁରନ୍ତ ହଟାଇବା ପାଇଁ ଦାବି ଉଠିଛି । କଟକଣା ଯୋଗୁଁ ଲୋକେ ହଇରାଣ ହେଉଛନ୍ତି । ଏହା ସହ ଦେଶର ଆର୍ଥିକ ବ୍ୟବସ୍ଥା ଉପରେ ପ୍ରଭାବ ପଡ଼ୁଛି ବୋଲି ଲୋକେ ଅଭିଯୋଗ କରିଛନ୍ତି । ବିକ୍ଷୋଭ ଯୋଗୁ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ପାଇଁ ଛିଡ଼ା ହୋଇଛି ବଡ଼ ଚ୍ୟାଲେଞ୍ଜ । ଜିନପିଙ୍ଗଙ୍କ ଶାସନ ବେଳେ କେବେ ବି ଏତେବଡ଼ ବିକ୍ଷୋଭ ହୋଇନଥିଲା । ଜିନପିଙ୍ଗଙ୍କ ଏକ ଛତ୍ରବାଦ ଶାସନ ବିରୋଧରେ କେହି କେବେ ମୁହଁ ଖୋଲିବାକୁ ସାହସ କରୁନଥିଲେ ।

ସୂଚନାନୁସାରେ ଗତ ଗୁରୁବାର ଦିନ ଚୀନରେ ସିନଜିଆଙ୍ଗ ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟରେ ନିଆଁ ଲାଗିଯାଇଥିଲା, ହେଲେ କରୋନା କଟକଣା ଯୋଗୁ ଅଗ୍ନିଶମ ବିଭାଗ ସେଠାରେ ନିଆଁ ଲିଭାଇବାକୁ ପହଞ୍ଚି ପାରିନଥିଲା। ଫଳରେ ଏହି ଅଗ୍ନିକାଣ୍ଡ ଯୋଗୁଁ ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ନେଇ ବିକ୍ଷୋଭ ବଢିବାରେ ଲାଗିଛି।

ସେହିପରି ଗତକାଲି ଲୋକମାନେ ବାରିକେଡ ଭାଙ୍ଗିବା ସହ କୋଭିଡ୍ ଟେଣ୍ଟଗୁଡ଼ିକୁ ତଳେ ଶୁଆଇ ଦେଇଥିଲେ ଏବଂ କୋଭିଡ୍ କଟକଣା ହଟାଇବାକୁ ଦାବି କରିଥିଲେ । ହଜାର ହଜାର ଛାତ୍ର ଏହି ଆନ୍ଦୋଳନରେ ଭାଗ ନେଇଥିବା ଦେଖିବାକୁ ମିଳିଛି । ‘ଲକ୍‌ଡାଉନ୍ ନୁହେଁ, ସ୍ବାଧୀନତା ଚାହୁ’ ‘କୋଭିଡ୍ ଟେଷ୍ଟ ନୁହେଁ, ଖାଦ୍ୟ ଚାହୁ’ ବୋଲି ବେଜିଂସ୍ଥିତ ପେକିଂ ୟୁନିଭର୍ସିଟି ପାଚେରି କାନ୍ଥରେ ସ୍ଲୋଗାନମାନ ଲେଖାଯାଇଛି। ପରେ ସୁରକ୍ଷା କର୍ମୀମାନେ ତା’ ଉପରେ କଳା ବୋଳିଦେଇଛନ୍ତି ।

ଅନ୍ୟପଟେ ଗତ ୨୪ ଘଣ୍ଟାରେ ଚୀନରେ ପ୍ରାୟ ୪୦ ହଜାର କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ହେଲେ ୮୦ ପ୍ରତିଶତରୁ ଅଧିକ ସଂକ୍ରମିତଙ୍କ ଠାରେ କୌଣସି ଲକ୍ଷଣ ନଥିବା ଦେଖିବାକୁ ମିଳିଛି। ଯାହା ଚୀନ ସରକାରଙ୍କ ଚିନ୍ତା ବଢାଇଦେଇଛି।