ଭୁବନେଶ୍ୱର: ଅନଲାଇନ ଅଟୋ ସଂଘର ରାସ୍ତାରୋକ ଏବଂ ବସ୍ ଭଙ୍ଗାରୁଜା ମାମଲାରେ ପରିବହନ ବିଭାଗ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବେଆଇନ ଭାବେ ରାସ୍ତା ଅବରୋଧ ଓ ସରକାରୀ ସମ୍ପତ୍ତି ନଷ୍ଟ କରିବାରେ ବ୍ୟବହୃତ ହୋଇଥିବା ୪୦୦ରୁ ଅଧିକ ଅଟୋରିକ୍ସାର ପରମିଟ୍ ରଦ୍ଦ ବା ନିଲମ୍ବନ ପାଇଁ ଆରଟିଓ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି।ମୋଟର ଯାନ ଆଇନ, ୧୯୮୮ର ଧାରା ୮୬(୧)(ଖ) ଅନୁଯାୟୀ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ପୋଲିସ ରେକର୍ଡ ଓ ସିସିଟିଭି ଜରିଆରେ ରାସ୍ତାରୋକରେ ସାମିଲ ଥିବା ଗାଡ଼ିଗୁଡ଼ିକୁ ଚିହ୍ନଟ କରାଯାଇଛି। ଭୁବନେଶ୍ୱର-୧ ଆରଟିଓ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ସମ୍ପୃକ୍ତ ଗାଡ଼ି ମାଲିକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି।ପରମିଟ୍ ସର୍ତ୍ତ ଭଙ୍ଗ କରିଥିବାରୁ ସମ୍ପୃକ୍ତ ଗାଡ଼ିଗୁଡ଼ିକର ମାଲିକ ତଥା ପରମିଟ୍ ଧାରୀମାନଙ୍କୁ ଆରଟିଓ କର୍ତ୍ତୃପକ୍ଷ ନୋଟିସ୍ ପଠାଇଛନ୍ତି। ଘଟଣା ସମୟରେ ଗାଡ଼ିଗୁଡ଼ିକ କାହାର ନିୟନ୍ତ୍ରଣରେ ଥିଲା ଏବଂ ମାଲିକଙ୍କ ଅବଗତି କିମ୍ବା ନିର୍ଦ୍ଦେଶକ୍ରମେ ଏହା ବ୍ୟବହୃତ ହୋଇଥିଲା କି ନାହିଁ, ସେନେଇ ଲିଖିତ ସ୍ପଷ୍ଟୀକରଣ ଦେବାକୁ କୁହାଯାଇଛି।ଧାର୍ଯ୍ୟ ସମୟ ଭିତରେ ଉତ୍ତର ନମିଳିଲେ କିମ୍ବା ବ୍ୟକ୍ତିଗତ ଶୁଣାଣିରେ ଅନୁପସ୍ଥିତ ରହିଲେ, ମିଳିଥିବା ପ୍ରମାଣ ଆଧାରରେ ପରମିଟ୍ ରଦ୍ଦ ବା ସ୍ଥଗିତ କରାଯିବ l