ହଷ୍ଟେଲ ଛାତ୍ରୀଙ୍କୁ ଭୋକିଲା ରଖିବା ଘଟଣାରେ ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷୟିତ୍ରୀ

କରଞ୍ଜିଆ : ନିଲମ୍ବିତ ହେଲେ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ I କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରିଥିବାରୁ ମୟୁରଭଞ୍ଜ ଜିଲ୍ଲାପାଳ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି I ଏସ ଏସ ଡି ଛାତ୍ରୀ ନିବାସ ହଷ୍ଟେଲ ଦାୟିତ୍ୱ ରେ ଥିବା ଶିକ୍ଷୟିତ୍ରୀ ପିଲାମାନଙ୍କୁ ଠିକ ସମୟରେ ଖାଇବାକୁ ନ ଦେବା ଫଳରେ ଛାତ୍ରୀ ମାନେ ଠାକୁରମୁଣ୍ଡା ବ୍ଲକ କାର୍ଯ୍ୟାଳୟକୁ ଯାଇ କାନ୍ଦି କାନ୍ଦି ନିଜ ଗୁହାରୀ ଜଣାଇ ଥିଲେ I ସେତେବେଳେ ଏହି ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ପିଲାଙ୍କ କାନ୍ଦ ଦେଖି ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଯାଇଥିଲା । ଏହି ଘଟଣାରେ ଦେଢ଼ ମାସ ତଦନ୍ତ ପରେ ଗତକାଲି ମୟୁରଭଞ୍ଜ ଜିଲ୍ଲାପାଳ ଦୃଢ଼ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ପ୍ରଧାନ ଶିକ୍ଷୟତ୍ରୀ ଲୁମେଶ୍ୱରୀ ନାଏକଙ୍କୁ କାର୍ଯ୍ୟରେ ଅବହେଳା କରିବା ଅଭିଯୋଗରେ ନିଲମ୍ବିତ କରିଛନ୍ତି।

ଘଟନାନୁସାରେ, ଠାକୁରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ନିବାସରେ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରୀ ନିବାସରେ ୯୪ ଜଣ ଛାତ୍ରୀ ରୁହନ୍ତି। ହଷ୍ଟେଲରେ ଗ୍ୟାସ ସରି ଯାଇଥିବାରୁ ଗତ ଅକ୍ଟୋବର ୨୬ ତାରିଖ ରାତିରେ ପିଲାମାନେ କିଛି ଖାଇବାକୁ ପାଇ ନଥିଲେ । ଏହାପର ଦିନ ସେମାନେ ମଧ୍ୟାହ୍ନ ପର୍ଯ୍ୟନ୍ତ ଭୋକ ଉପାସରେ ରହିଥିଲେ। ଏହାପରେ ୯୪ ଜଣ ଛାତ୍ରୀ ହଷ୍ଟେଲରୁ ବାହାରି ୧ କିମି ଦୂର ଠାକୁରମୁଣ୍ଡା ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେ ଦିନ ରବିବାର ବ୍ଲକ କାର୍ଯ୍ୟାଳୟ ବନ୍ଦ ଥିବାରୁ ଛାତ୍ରୀମାନେ ବ୍ଲକ ସମ୍ମୁଖରେ କାନ୍ଦୁଥିବା ଦେଖି ସ୍ଥାନୀୟ ଲୋକେ ରୁଣ୍ଡ ହୋଇଯାଇଥିଲେ। ହଷ୍ଟେଲରୁ ଆସି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ଥିବା ସମସ୍ତ ଛାତ୍ରୀ ୪ ର୍ଥ ଶ୍ରେଣୀ ଠାରୁ ଦଶମ ଶ୍ରେଣୀର ପର୍ଯ୍ୟନ୍ତ ଥିଲେ । ଭୋକରେ ଥିବା ପିଲା ମାନଙ୍କୁ ସ୍ଥାନୀୟ ଲୋକେ ବିସ୍କୁଟ ଖାଇବାକୁ ଦେଇଥିଲେ। ଖବର ପାଇ ସ୍ଥାନୀୟ ଏବିଓ,ସିଆରସିସି, ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପହଞ୍ଚି ବ୍ଲକ ପରିସରରେ ଥିବା ଛାତ୍ରୀ ମାନଙ୍କୁ ହଟେଲରୁ ଆଣି ଖାଦ୍ୟ ଦେଇଥିଲେ । ହଷ୍ଟେଲ ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷୟତ୍ରୀ ସେମାନଙ୍କୁ ଖାଦ୍ୟ ନଦେବା ସହ ଅଧିକାଂଶ ଦିନ ଲୁଣ ଭାତ ଦେଉଥିବାର ଛାତ୍ରୀ ମାନେ ଅଭିଯୋଗ କରିଥିଲେ ।

ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ସ୍ଥାନୀୟ ବାସିନ୍ଦା । ବ୍ଲକ ସମ୍ମୁଖରେ ଛାତ୍ରୀମାନେ କାନ୍ଦିବା ଘଟଣାରେ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ବିଦ୍ୟାଳୟ ପହଁଚି ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସାମ୍ବାଦିକ ମାନକୁ ସୂଚନା ଦେଇଥିଲେ । ତେବେ ପ୍ରଧାନ ଶିକ୍ଷୟତ୍ରୀ ନିଲମ୍ବନ ପରେ ଏହି ଦାୟିତ୍ୱ ରେ ବର୍ତ୍ତମାନ ଶିକ୍ଷୟତ୍ରୀ ଜୟନ୍ତୀ ପଣ୍ଡାଙ୍କୁ କାର୍ଯ୍ୟଭାର ଗ୍ରହଣ କରିବାକୁ ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଏଥି ସହିତ ଆଉ ତିନି ଜଣକୁ ବିଦ୍ୟାଳୟରୁ ବଦଳି କରାଯିବ ବୋଲି ସୂଚନା ଦେଇଛନ୍ତି ଠାକୁରମୁଣ୍ଡା ବିଇଓ।