କରୋନା ର ନୂଆ ଭାରିଏଣ୍ଟକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଜରୁରୀକାଳୀନ ବୈଠକ, ଅନ୍ତର୍ଜାତୀୟ ଉଡାଣ ନିଷ୍ପତ୍ତିର ହେବ ସମୀକ୍ଷା

କରୋନାର ନୂଆ ପ୍ରଜାତି ଓମିକ୍ରନ ଦୁନିଆ ପାଇଁ ଚିନ୍ତାର କାରଣ ପାଲଟିଛି। ଦକ୍ଷିଣ ଆଫ୍ରିକାରେ ଏହି ନୂତନ ଭାରିଏଣ୍ଟ ଚିହ୍ନଟ ହୋଇଛି I ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉଚ୍ଚସ୍ତରୀୟ ଅଧିକାରୀଙ୍କ ସହ ଜରୁରୀକାଳୀନ ବୈଠକ କରିଛନ୍ତି। ବୈଠକରେ ଅନ୍ତର୍ଜାତୀୟ ବିମାନ ଉଡାଣ ନେଇ ନିଆଯାଇଥିବା ନିଷ୍ପତ୍ତିର ପୁନଃସମୀକ୍ଷା କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ଦ୍ଦେଶ ଦେଇଛନ୍ତି। ନୂତନ ଭାରିଏଣ୍ଟ ଉପରେ ଚିନ୍ତା ପ୍ରକାଶ କରି ବିଦେଶରୁ ଆସୁଥିବା ଯାତ୍ରୀଙ୍କ ସଠିକ୍ ଯାଞ୍ଚ କରିବାକୁ ସେ କହିଛନ୍ତି। ବିଶେଷ କରି ଯେଉଁ ଦେଶରେ ନୂତନ ଭାରିଏଣ୍ଟର ବିପଦ ଅଧିକ ରହିଛି, ସେଠାରୁ ଆସୁଥିବା ଯାତ୍ରୀଙ୍କ ଉପରେ ଅଧିକ ଧ୍ୟାନ ଦେବାକୁ କୁହାଯାଇଛି।
ଏଥିସହ ପ୍ରଧାନମନ୍ତ୍ରୀ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ରାଜ୍ୟ ସରକାରଙ୍କ ସହ ମିଶି କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ ନୂତନ ଭାରିଏଣ୍ଟକୁ ନେଇ ସମଗ୍ର ଦେଶରେ ଜିଲ୍ଲାସ୍ତରରେ ସଚେତନ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କରୋନା ସଂକ୍ରମଣର ଟିକିନିକି ଯାଞ୍ଚ ସହ ନୀରିକ୍ଷଣ ଜାରି ରହିବା ଉଚିତ୍ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ସୂଚନାଯୋଗ୍ୟ, ଦକ୍ଷିଣ ଆଫ୍ରିକାରେ କରୋନାର ନୂତନ ଭାରିଏଣ୍ଟ ଓମିକ୍ରନର ପ୍ରକୋପକୁ ଦୃଷ୍ଟିରେ ରଖି ଅନେକ ଦେଶ ନିଜର ଉଡାଣ ଉପରେ କଟକଣା ଜାରି କରିଛନ୍ତି। ଦକ୍ଷିଣ ଆଫ୍ରିକା ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇ ସାରିଛନ୍ତି ଅନେକ ଦେଶ। ଭାରତ ମଧ୍ୟ ଆଲର୍ଟ ମୋଡରେ ରହିଛି। ମୁମ୍ବାଇରେ ଦକ୍ଷିଣ ଆଫ୍ରିକାରୁ ଆସୁଥିବା ଯାତ୍ରୀଙ୍କ ପାଇଁ କ୍ଵାରେଣ୍ଟାଇନ୍ ବାଧ୍ୟତାମୂଳକ କରାଯାଇଛି। କୁହାଯାଉଛି କରୋନାର ନୂତନ ଭାରିଏଣ୍ଟ ଓମିକ୍ରନ ଡେଲ୍‌ଟା ଏବଂ ଡେଲ୍‌ଟା ପ୍ଲସଠୁ ଅନେକ ଗୁଣ ଅଧିକ ସଂକ୍ରାମକ ଏବଂ ବିପଦଜ୍ଜନକ।

Comments (0)
Add Comment