ଓମିକ୍ରନ ସଂକ୍ରମଣ କୁ ନେଇ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶବାସୀଙ୍କୁ ସମ୍ବୋଧିତ କରିବା ଅବସରରେ ପ୍ରଧାନ ମନ୍ତ୍ରୀ କହିଛନ୍ତି ଦେଶରେ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧିପାଇବାରେ ଲାଗିଛି । ଏ ନେଇ ଆମକୁ ସାବଧାନ ରହିବାକୁ ହେବ । କରୋନା ବିରୋଧରେ ଭାରତର ଲଢେଇ ଆରମ୍ଭରୁ ହିଁ ବୈଜ୍ଞାନିକ ପଦ୍ଧତି ଦ୍ବାରା ଆଧାରିତ । ଟିକାକରଣ ଆରମ୍ଭରୁ ହିଁ ବିଶେଷଜ୍ଞଙ୍କ ପରାମର୍ଶ ଦ୍ବାରା କେଉଁମାନଙ୍କୁ ପ୍ରଥମେ ଟିକାକରଣ କରାଯିବ, କୋଭିଡ ହୋଇଥିବା ବ୍ୟକ୍ତି କେବେ ଟିକା ନେବେ ଇତ୍ୟାଦି ସ୍ପଷ୍ଟ କରାଯାଇଥିଲା । ଦେଶରେ ଅକ୍ସିଜେନ୍ ଉତ୍ପାଦନ ବୃଦ୍ଧିପାଇଛି । ବୟସ୍କ ଜନସଂଖ୍ୟା ମଧ୍ୟରୁ ୯୦ ପ୍ରତିଶତଙ୍କୁ ପ୍ରଥମ ଡୋଜ୍ ଟିକା ଦିଆସରିଛି । ବିଶ୍ବର ସର୍ବବୃହତ ଟିକାକରଣ ଅଭିଯାନ ରେ ଭାରତ ଆଗୁଆ ରହିଛି ।
ପ୍ରଧାନ ମନ୍ତ୍ରୀ ଆଜି ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ କଥା କହିଛନ୍ତି , ଜାନୁଆରୀ ୩ ତାରିଖରୁ ଦେଶରେ ୧୫ ରୁ ୧୮ ବର୍ଷ ପିଲାଙ୍କୁ ଦିଆଯିବ ଭ୍ୟାକସିନ୍ । ଜାନୁଆରୀ ୧୦ ତାରିଖରୁ ସ୍ବାସ୍ଥ୍ୟ କର୍ମୀ ତଥା ଫ୍ରଣ୍ଟ ଲାଇନ୍ ଓ୍ବାର୍କରମାନଙ୍କୁ ବୁଷ୍ଟର ଡୋଜ୍ ଭ୍ୟାକସିନ୍ ଦିଆଯିବ । ଏହା ସହିତ ୬୦ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିମାନେ ଯେଉଁମାନେ କି ବିଭିନ୍ନ ରୋଗରେ ପୀଡିତ ଅଛନ୍ତି ସେମାନେ ଡାକ୍ତରଙ୍କ ପରାମର୍ଶ କ୍ରମେ ବୁଷ୍ଟର ଡୋଜ୍ ନେଇପାରିବେ । ଦେଶରେ ବର୍ତ୍ତମାନ ସୁଦ୍ଧା ୧୪୧ କୋଟି ଡୋଜ୍ ଭ୍ୟାକସିନ ଦିଆସରିଛି । ୧୮ ଲକ୍ଷ ଆଇସୋଲେସନ ବେଡ୍ ପ୍ରସ୍ତୁତ ରହିଛି । ଏହା ସହିତ ୧.୪୦ ଲକ୍ଷ ଆଇସିୟୁ ବେଡ୍, ୯୦ ହଜାର ପେଡିଏଟଅିକ୍ ଆଇସିୟୁ ଏବଂ ନନ୍ ଆଇସିୟୁ ପ୍ରସ୍ତୁତ ରହିଛି । ୩ ହଜାର ଅକ୍ସିଜେନ୍ ପ୍ଲାଣ୍ଟ, ୪ ଲକ୍ଷ ଅକ୍ସିଜେନ୍ ସିଲିଣ୍ଡର ମଧ୍ୟ ବଣ୍ଟନ କରାଯାଇଛି । ଏହା ସହିତ ଓମିକ୍ରାନ ସଂକ୍ରମଣ ନେଇ ଦେଶବାସୀ ଆତଙ୍କିତ ବା ଭୟଭୀତ ନ ହୋଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି I