ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି, ୨୦ ଜୁନରେ ଓଡ଼ିଶା ଗସ୍ତରେ ଆସିବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ଉପସ୍ଥିତ ରହିବେ ଯାହା ରାଜ୍ୟ ପାଇଁ ଏକ ବିରଳ ତଥା ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ହେବ। ପୂର୍ବାହ୍ନ ପ୍ରାୟ ୧୧ଟା ୧୫ ସମୟରେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ମୟୂରଭଞ୍ଜ ଜିଲ୍ଲାର ପାହାଡ଼ପୁର ଗ୍ରାମ ପରିଦର୍ଶନ କରିବେ । ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ପବିତ୍ର ସାନ୍ତାଳୀ ଜାହେରା ଏବଂ ହୋ ଜାହେରା ଠାରେ ପ୍ରାର୍ଥନା କରିବେ ଏବଂ ଦକ୍ଷତା ବିକାଶ କେନ୍ଦ୍ର ଓ ପାହାଡପୁର ସ୍କୁଲ ବୁଲି ଦେଖିବେ। ଏହି ଗସ୍ତ ଆଦିବାସୀ ଓ ଗ୍ରାମାଞ୍ଚଳରେ ଶିକ୍ଷାଗତ ସୁଯୋଗ, ଦକ୍ଷତା ବିକାଶ ଏବଂ ସାମାଜିକ-ଆର୍ଥିକ ସଶକ୍ତିକରଣକୁ ସୁଦୃଢ଼ କରିବା ପାଇଁ ଚାଲିଥିବା ପ୍ରୟାସର ପ୍ରତିଫଳନ। ଅପରାହ୍ନ ପ୍ରାୟ ଗୋଟାଏ ବେଳେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଓଡ଼ିଶା ସରକାରଙ୍କ ଦୁଇ ବର୍ଷ ପୂରଣ ଅବସରରେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ। କାର୍ଯ୍ୟକ୍ରମର ବିଷୟବସ୍ତୁ ହେଉଛି ‘‘ବିକାଶର ଧାରା, ଓଡ଼ିଶା ସାରା’’। ଏହି ଅବସରରେ ୪୭,୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ ହେବ। ପ୍ରଧାନମନ୍ତ୍ରୀ ସେଠାରେ ଏକ ଜନସମାବେଶକୁ ମଧ୍ୟ ସମ୍ବୋଧିତ କରିବେ। ଏହି କାର୍ଯ୍ୟକ୍ରମ ସମୟରେ, ଶକ୍ତି, ଶିଳ୍ପ ଭିତ୍ତିଭୂମି, ସଡ଼କ ଯୋଗାଯୋଗ, ପାନୀୟ ଜଳ, ସ୍ୱାସ୍ଥ୍ୟ, ଶିକ୍ଷା, ପର୍ଯ୍ୟଟନ ଏବଂ ଜଳସେଚନ ସମେତ ପ୍ରମୁଖ କ୍ଷେତ୍ରର ପ୍ରକଳ୍ପଗୁଡ଼ିକର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ଏହି ପ୍ରକଳ୍ପଗୁଡ଼ିକ ସମଗ୍ର ଓଡ଼ିଶାରେ ଭିତ୍ତିଭୂମିକୁ ସୁଦୃଢ଼ କରିବ, ଯୋଗାଯୋଗରେ ଉନ୍ନତି ଆଣିବ, ଶକ୍ତି ସୁରକ୍ଷା ବୃଦ୍ଧି କରିବ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି। ପ୍ରଧାନମନ୍ତ୍ରୀଙ୍କ ସମାବେଶୀ ଓ ସାମଗ୍ରିକ ବିକାଶ ଦୃଷ୍ଟିକୋଣକୁ ପ୍ରତିଫଳିତ କରି, ଏହି ପଦକ୍ଷେପଗୁଡ଼ିକ ଆଦିବାସୀ ତଥା ଗ୍ରାମାଞ୍ଚଳରେ ଅଭିବୃଦ୍ଧିକୁ ଆହୁରି ତ୍ୱରାନ୍ୱିତ କରିବ ଏବଂ ରାଜ୍ୟର ପ୍ରତ୍ୟେକ କୋଣରେ ବିକାଶର ଲାଭ ପହଞ୍ଚାଇବ।