ମୁଖ୍ୟମନ୍ତ୍ରୀ ମାନଙ୍କ ସହିତ କରୋନା ସ୍ଥିତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ : ଟିକାକରଣକୁ ନେଇ ଭ୍ରମିତ ହୁଅନ୍ତୁ ନାହିଁ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଭର୍ଚୁଆଲ୍‌ ମୋଡ଼ ରେ କରୋନା ସ୍ଥିତି ସମୀକ୍ଷା କରିଛନ୍ତି । ଆଲୋଚନା ପରେ ଦେଶକୁ ଉଦବୋଧନ ଦେଇ ମୋଦି କହିଛନ୍ତି ‘ବର୍ତ୍ତମାନ ପୂର୍ବ ଭାରିଆଣ୍ଟ ଅପେକ୍ଷା ଓମିକ୍ରନ୍ ତୀବ୍ର ଗତିରେ ମାଡ଼ିଚାଲିଛି ତେଣୁ ଆମକୁ ଏପରି ସ୍ଥିତିରେ ଭୟଭୀତ ନହୋଇ ସତର୍କ ଏବଂ ସାବଧାନ ରହିବାକୁ ପଡ଼ିବ I ଏହାପରେ ସଂକ୍ରମଣକୁ ରୋକିବା ପାଇଁ ଟୀକାକରଣ ଉପରେ ଗୁରୁତ୍ତ୍ଵ ଦେବାକୁ ମୁଖ୍ୟମନ୍ତ୍ରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ଟିକା ହେଉଛି କରୋନ ଭାଇରସ ବିରୋଧରେ ଲଢ଼େଇ କରିବାର ସବୁଠାରୁ ବଡ଼ ଅସ୍ତ୍ର। ଦ୍ରୁତ ଟିକାକରଣ ଓ ସ୍ଥାନୀୟ କଣ୍ଟେନମେଣ୍ଟ ଉପରେ ରାଜ୍ୟଗୁଡ଼ିକ ଫୋକସ କରିବା ଉଚିତ ବୋଲି ମୋଦି କହିଛନ୍ତି। ଅଗ୍ରାଧିକାର ଭିତ୍ତିରେ ସମ୍ମୁଖଯୋଦ୍ଧା ଓ ବରିଷ୍ଠ ନାଗରିକଙ୍କୁ କରୋନା ବୁଷ୍ଟର ଡୋଜ ଦିଆଯିବା ଦରକାର। ବୁଷ୍ଟର ଡୋଜ୍‌ କାମକୁ ଯଥାଶୀଘ୍ର ଶେଷ କରିବାକୁ ହେବ। ଆମକୁ ହର ଘର ଦସ୍ତତକ କାର୍ଯ୍ୟକ୍ରମକୁ ୧୦୦% ପୂରଣ କରିବାକୁ ପଡ଼ିବ।” ଏଥିସହ ମୋଦି ସମସ୍ତଙ୍କୁ ପାରମ୍ପରିକ କାଢ଼ା ପିଇବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶରେ ବର୍ତ୍ତମାନ ୯୦ % ପ୍ରଥମ ଏବଂ ୭୦% ଲୋକ ୨ୟ ଡୋଜ୍ ନେଇସାରିଛନ୍ତି । ଭାରତରେ ୩ କୋଟି କିଶୋରଙ୍କୁ ଟିକାକରଣ କରାଗଲାଣି । ପୂଜା ପାର୍ବଣରେ ଋତୁରେ ଆମେ ଟିକେ ବି ବେପରୁଆ ହେବାନି । ମେଡିକାଲ ଭିତ୍ତିଭୂମିକୁ ବଢ଼ାଇବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏହା ସହ ଟିକାକରଣକୁ ନେଇ କୌଣସି ପ୍ରକାର ଭ୍ରମକୁ ବିଶ୍ୱାସ ନକରିବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେକୌଣସି ଭ୍ୟାରିଆଣ୍ଟ ହେଉ ତାହା ବିରୋଧରେ ଟିକା ଲଢ଼ିବ । ଟିକାହିଁ କରୋନା ବିରୋଧୀ ଲଢ଼େଇରେ ପ୍ରମୁଖ ଅସ୍ତ୍ର ।

ସେ ଆହୁରି କହିଛନ୍ତି ରାଜ୍ୟମାନଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣର ଟିକା ମହଜୁଦ ଅଛି, ପ୍ରିକସନ ଡୋଜ ଯେତେ ଶୀଘ୍ର ଦିଆଯାଇପାରିବ, ବହୁତ ଭଲ ହେବ । ମୋଦି କହିଛନ୍ତି ଅନେକ ରାଜ୍ୟ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିପାରିଛନ୍ତି, ଓମିକ୍ରନ ସହ ସମ୍ଭାବ୍ୟ ଭାରିଆଣ୍ଟକୁ ମୁକାବିଲା ପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

Comments (0)
Add Comment