ପରୀକ୍ଷା ପୂର୍ବରୁ ପରୀକ୍ଷାର୍ଥୀଙ୍କ ମନୋବଳ ବଢାଇଛନ୍ତି ପ୍ରଧାନମନ୍ତ୍ରୀ । ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମର ପଞ୍ଚମ ସଂସ୍କରଣରେ ଦେଶର ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଛନ୍ତି ନରେନ୍ଦ୍ର ମୋଦି । ଏହି କାର୍ଯ୍ରକ୍ରମରେ ଛାତ୍ରଛାତ୍ରୀଙ୍କ ବ୍ୟତୀତ ଅଭିଭାବକ ଓ ଶିକ୍ଷକ ମଧ୍ୟ ଯୋଡ଼ି ହୋଇ ଚାପ ମୁକ୍ତ ପରୀକ୍ଷା ସମ୍ପର୍କରେ ନିଜ ନିଜର ମତ ପ୍ରଦାନ କରିବେ।
ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ଗତ ଡିସେମ୍ବର ଓ ଜାନୁଆରୀ ମାସରେ ଅନଲାଇନ୍ରେ ଏକ କ୍ରିଏଟିଭ୍ ରାଇଟିଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଦେଶର କୋଣ ଅନୁକୋଣରୁ ପ୍ରାୟ ୧୫ଲକ୍ଷରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ । କାର୍ଯ୍ୟକ୍ରମର ପ୍ରଥମ ତିନିଟି ଏଡିସନ୍ ଦିଲ୍ଲୀର ଟାଉନ୍ ହଲରେ ହୋଇଥିବା ବେଳେ କରୋନା ଯୋଗୁଁ ଚତୁର୍ଥ ସଂସ୍କରଣ ଅନଲାଇନରେ ହୋଇଥିଲା । ଏହି କାର୍ଯ୍ୟକ୍ରମ ଜରିଆରେ ପିଲାଙ୍କୁ ଚାପମୁକ୍ତ ହୋଇ ପରୀକ୍ଷା ଦେବାକୁ ଟିପ୍ସ ଦେବେ ପ୍ରଧାନମନ୍ତ୍ରୀ ।
ପରୀକ୍ଷା ପୂର୍ବରୁ ନିଜକୁ ଚାପମୁକ୍ତ ରଖିବା ନିହାତି ଜରୁରୀ
ଛାତ୍ରଛାତ୍ରୀମାନେ ପରୀକ୍ଷାକୁ ଜୀବନର ଏକ ଅଂଶ ବୋଲି ଭାବନ୍ତୁ
ପରୀକ୍ଷାକୁ ପର୍ବ ବୋଲି ଭାବିଲେ ପରୀକ୍ଷାର ମଜା ନେଇପାରିବା
ପ୍ରତିଯୋଗିତା ହିଁ ଆଗକୁ ବଢିବାକୁ ପ୍ରେରଣା ଯୋଗାଇଥାଏ
ଭଲ କରିବାର ଆତ୍ମବିଶ୍ୱାସ ରହିଲେ, ପରୀକ୍ଷା ଅଧିକ ସହଜ ହୋଇଯାଏ
‘ଅନଲାଇନ୍’, ‘ଅଫଲାଇନ୍’ ବଦଳରେ କିଛି ସମୟ ‘ଇନରଲାଇନ୍’ ହୁଅନ୍ତୁ
ସୋସିଆଲ ମିଡିଆ ଓ ମୋବାଇଲ ଗେମ୍ ବ୍ୟବହାରର ବଦଭ୍ୟାସ ଛାଡନ୍ତୁ
ସାଙ୍ଗ ସାଥୀଙ୍କୁ ଅନୁକରଣ ନକରି ନିଜକୁ ଚିହ୍ନିବାକୁ, ନିଜ ଆତ୍ମଶକ୍ତିକୁ ଚିହ୍ନିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏଥିସହ ପରୀକ୍ଷା ପାଇଁ ନପଢି ଜ୍ଞାନ ଆହରଣ ପାଇଁ ପାଠ ପଢିବାକୁ କହିଛନ୍ତି । କାର୍ଯ୍ୟକ୍ରମରେ ମୋଟ ୨୦ଜଣ ଛାତ୍ରଛାତ୍ରୀଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି ମୋଦି । ପରୀକ୍ଷାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ପାଇବା ପରେ ଛାତ୍ରଛାତ୍ରୀ ଉତ୍ସାହିତ ଅଛନ୍ତି ।
ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଶେଷରେ ୫ ଜଣ ଆନାଉନସର ଛାତ୍ରଙ୍କୁ ମଞ୍ଚକୁ ଡାକି ଧନ୍ୟବାଦ ଦେଇଥିଲେ ପ୍ରଧାନମନ୍ତ୍ରୀ । କାର୍ଯ୍ୟକ୍ରମ ଆରମ୍ଭରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କରୋନା ସଂକ୍ରମଣ କମିବା ପରେ ସ୍କୁଲ ଖୋଲିବା ଏକ ବଡ ଉପଲବ୍ଧି ବୋଲି କହିଥିଲେ ଧର୍ମେନ୍ଦ୍ର ।