ଗଣତନ୍ତ୍ର ଦିବସ ପୂର୍ବରୁ ଦେଶବାସୀଙ୍କୁ ରାଷ୍ଟ୍ରପତିଙ୍କ ସନ୍ଦେଶ: ଅଧିକାର ଏବଂ କର୍ତ୍ତବ୍ୟ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ଵ

ସାଧାରଣତନ୍ତ୍ର ଦିବସ ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ଦେଶ ଓ ବିଦେଶରେ ରହୁଥିବା ଭାରତୀୟ ନାଗରିକଙ୍କୁ ୭୩ତମ ସାଧାରଣତନ୍ତ୍ର ଦିବସ ପାଇଁ ରାଷ୍ଟ୍ରପତି ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି କହିଛନ୍ତି, ସାଧାରଣତନ୍ତ୍ର ଦିବସ ପ୍ରତିଟି ଭାରତୀୟଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖିବାର ଏକ ଉତ୍ସବ। ୧୯୫୦ ମସିହା, ଏହି ଦିନରେ ଆମ ସମସ୍ତଙ୍କର ଏହି ଗୌରବମୟ ପରିଚୟ ଏକ ଆନୁଷ୍ଠାନିକ ରୂପ ପାଇଥିଲା।

ରାଷ୍ଟ୍ରପତି କହିଛନ୍ତି, ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସରେ ଆମେ ନିଜର ଗତିଶୀଳ ଗଣତନ୍ତ୍ର ତଥା ଜାତୀୟ ଏକତାର ଭାବନାର ଉତ୍ସବ ପାଳନ କରିଥାଉ। ମହାମାରୀ କାରଣରୁ ଚଳିତ ବର୍ଷ ହୁଏତ ଆମେ ଏହି ଉତ୍ସବକୁ ଧୂମଧାମରେ ପାଳନ କରିପାରିବୁନିଳ କିନ୍ତୁ ଆମର ଭାବନା ସର୍ବୋପରି ସଶକ୍ତ ରହିଛି। ଅଧିକାର ଓ କର୍ତ୍ତବ୍ୟ ମୁଦ୍ରାର ଦୁଇ ପାର୍ଶ୍ୱ। ଆମର ଗଣତନ୍ତ୍ର ଏହା ଉପରେ ଦୃଢ଼ତାର ସହ ଛିଡ଼ା ହୋଇଛି।
ରାଷ୍ଟ୍ରପତି କହିଛନ୍ତି, ଗଣତନ୍ତ୍ର ଦିବସର ଏହି ଦିନ ସେହି ମହାନାୟକଙ୍କୁ ମନେ ପକାଇବାର ଏକ ଦିନ, ଯେଉଁମାନେ ସ୍ଵରାଜର ସ୍ଵପ୍ନ ସାକାର କରିବା ପାଇଁ ଅତୁଳନୀୟ ସାହାସର ପରିଚୟ ଦେଇଥିଲେ। ସେମାନଙ୍କ ପାଇଁ ହିଁ ଦେଶବାସୀଙ୍କ ମଧ୍ୟରେ ସଂଘର୍ଷର ଉତ୍ସାହ ଜାଗି ଉଠିଛି। ମାନବ ସମୁଦାୟକୁ ପରସ୍ପରର ସାହାଯୟ କରିବାକୁ ଆଜି ଯେତିକି ଆବଶ୍ୟକତା ପଡିଛି, ତାହା ପୂର୍ବରୁ କେବେ ପଡିନଥିଲା। ଦୁଇ ବର୍ଷରୁ ଅଧିକ ସମୟ ବିତି ଯାଇଛି, ମାତ୍ର ମାନବ ଜାତିର କରୋନା ଭାଇରସ୍ ବିରୋଧରେ ସଂଘର୍ଷ ଏବେ ମଧ୍ୟ ଜାରି ରହିଛି। କରୋନା ମହାମାରୀରେ ହଜାର ସଂଖ୍ୟକ ଲୋକଙ୍କ ପ୍ରାଣହାନୀ ଘଟିଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି।

ରାଷ୍ଟ୍ରପତିଙ୍କ ଭାଷଣର ମୁଖ୍ୟାଂଶ

– ମହାମାରୀର ପ୍ରଭାବ ଏବେ ମଧ୍ୟ ବ୍ୟାପକସ୍ତରରେ ଜାରି ରହିଛି। ଆମକୁ ସତର୍କ ରହିବା ଉଚିତ୍ ଏବଂ ନିଜ ସୁରକ୍ଷାରେ ଅବହେଳା କରିବା ଉଚିତ୍ ନୁହେଁ। ଆମେ ଏ ପର୍ଯ୍ୟନ୍ତ ଯେଉଁ ସାବଧାନତା ଅବଲମ୍ବନ କରିଛନ୍ତି, ତାକୁ ଜାରି ରଖିବା।

– ସଙ୍କଟର ଏହି ସମୟରେ ଆମେ ଦେଖିଲେ ଯେ, କିପରି ଆମ୍ଭେ ସମସ୍ତ ଦେଶବାସୀ ଏକ ପରିବାର ପରି ପରସ୍ପର ସହ ଜଡିତ ଅଛନ୍ତି।

– ପୂରା ବିଶ୍ଵର ଅର୍ଥବ୍ୟବସ୍ଥା ଉପରେ ଆଘାତ ଲାଗିଛି। ବିଶ୍ଵ ସମୁଦାୟକୁ ଅଦ୍ଭୁତପୂର୍ବ ବିପଦର ସାମ୍ନା କରିବାକୁ ପଡିଛି।

– ମୁଁ ଏହା କହିବାରେ ଗର୍ବିତ ଅନୁଭବ କରୁଛି ଯେ, ଆମେ କରୋନା ବିରୋଧରେ ଅସାଧାରଣ ଦୃଢ ସଂକଳ୍ପ ଏବଂ କାର୍ଯ୍ୟ କ୍ଷମତାର ପ୍ରଦର୍ଶନ କରିଛୁ।

Comments (0)
Add Comment