ଶିଶୁ ଦିବସରେ ପିଲାଙ୍କୁ ରାଷ୍ଟ୍ରପତିଙ୍କ ପରାମର୍ଶ: ‘ସ୍ୱପ୍ନ ଦେଖ, ଆଜିର ସ୍ୱପ୍ନ ଆସନ୍ତାକାଲି ସାକାର ହେବ’

ନୂଆଦିଲ୍ଲୀ : ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଜନ୍ମତିଥି ଉପଲକ୍ଷେ ସୋମବାର ଦେଶବ୍ୟାପୀ ଶିଶୁ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ଦେଶଣ ବିଭିନ୍ନ ସ୍ଥାନରୁ ଆସିଥିବା ସ୍କୁଲ ପିଲାଙ୍କୁ ଭେଟିଛନ୍ତି । ପିଲାଙ୍କୁ ସମ୍ବୋଧିତ କରି ଶ୍ରୀମତୀ ମୁର୍ମୁ କହିଛନ୍ତିି ଯେ ‘ତୁମେ ସମସ୍ତେ ବଡ ସ୍ୱପ୍ନ ଦେଖ । ଆଜିର ସ୍ୱପ୍ନ ଆସନ୍ତାକାଲି ସାକାର ହେବାର ଯଥେଷ୍ଟ ସମ୍ଭାବନା ରହିଛି’ । ଯେଭଳି ପରିବେଶରେ ରହିବାକୁ ତୁମେ ପସନ୍ଦ କରୁଛି, ସେଭଳି ଭାରତର ସ୍ୱପ୍ନ ଖେିବାକୁ ରାଷ୍ଟ୍ରପତି ପିଲାଙ୍କୁ ପରାମର୍ଶ ଦେଇଛନ୍ତି । ଫଳାଫଳକୁ ଗୁରୁତ୍ୱ ନଦେଇ କର୍ମ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବାକୁ ସେ କହିଛନ୍ତିି । ଭାରତର କଳା, ସଂସ୍କୃତି ଓ ପରମ୍ପରା ସହ ନିଜକୁ ସାମିଲ କରିବା ସହିତ ପିତାମାତା ଓ ଗୁରୁଜନଙ୍କୁ ଯଥାମାନ୍ୟ ସମ୍ମାନ ପ୍ରଦର୍ଶନ କରିବାକୁ ମଧ୍ୟ ସେ ପିଲାଙ୍କୁ ପ୍ରୋତ୍ସାହିତ କରିଛନ୍ତି । ପ୍ରତ୍ୟେକ ନୂତନ ପିଢି ଦେଶ ପାଇଁ ନୂଆ ଆଶା ଓ ସମ୍ଭାବନା ନେଇ ଆସିଥାନ୍ତି । ବର୍ତ୍ତମାନର ଯୁଗ ହେଉଛି କାରିଗରୀକୌଶଳ ଓ ସୂଚନା ପ୍ରଯୁକ୍ତି ବିଦ୍ୟାର ଯୁଗ । ତେଣୁ ପରିବର୍ତ୍ତନଶୀଳ ସମୟ ସହ ତାଳ ଦେଇ ନିଜର କର୍ମ ସମ୍ପାଦନ କରିବା ବୁଦ୍ଧିମାନର କାର୍ଯ୍ୟ ବୋଲି ସେ କହିଛନ୍ତି ।